ଅଲେଖ ମହିମାମେଳା ଆୟୋଜନ କରି ବନ୍ଧାହେଲେ ଦୁଇ ବାବା

ଦେବଗଡ଼,ଏନ୍ଏନ୍ଏସ୍: କରୋନା ଦ୍ୱିତୀୟ ଲହର ଯୋଗୁଁ ସାରା ରାଜ୍ୟରେ ଦୃତ ସଂକ୍ରମଣ ବଢ଼ି ଚାଲିଥିବାବେଳେ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ କରାଯାଇ ଜନଗହଳିକୁ ରୋକିବା ପାଇଁ ଜନସଚେତନତା ସୃଷ୍ଟି କରାଯାଉଛି। ସେହିପରି ବିଭିନ୍ନ ସ୍ଥାନରେ ଉଲ୍ଲଂଘନକାରୀଙ୍କୁ ଜୋରିମାନା ମଧ୍ୟ କରାଯାଉଛି। ଏପରି ପରିସ୍ଥିତିରେ ବାରକୋଟ ଥାନା ଅନ୍ତର୍ଗତ ସରୁଆଳି ଗ୍ରାମରେ ଅଲେଖ ଧର୍ମବଲମ୍ବୀଙ୍କ ପକ୍ଷରୁ ଏକ ଯଜ୍ଞ ତଥା ଧାର୍ମିକ ସଭା କରାଯାଇଥିଲା। କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ମେଳା ଆୟୋଜକଙ୍କୁ ପୁଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଗତକାଲି ସରୁଆଳି ଗ୍ରାମ ମୁଣ୍ଡରେ ଅଲେଖ ଧର୍ମାବଲମ୍ବୀଙ୍କ ପକ୍ଷରୁ ଏକ ବିଶାଳ ମେଳା ସହ ଯଜ୍ଞର ଆୟୋଜନ କରାଯାଇଥିଲା। ପୂର୍ବ ସୂଚନା ପାଇ ବ୍ଲକ୍ ପ୍ରଶାସନ ପକ୍ଷରୁ ଆୟୋଜକଙ୍କୁ କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଥିଲା। ମାତ୍ର ପ୍ରଶାସନିକ ନିର୍ଦ୍ଦେଶନାମାକୁ ବେଖାତିର କରି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହା ଜଣାପଡିବା ପରେ ବାରକୋଟ ତହସିଲଦାର ବାର୍ଷିୟୁଷ ଡୁଙ୍ଗଡୁଙ୍ଗଙ୍କ ଅଭିଯୋଗ ଆଧାରରେ ପୁଲିସ ମହାମାରୀ ସଂକ୍ରମଣ ଆଇନ ସମେତ ବିଭିନ୍ନ ଦଫାରେ ଆୟୋଜକଙ୍କ ସମେତ ଅଂଶ ଗ୍ରହଣ କରିଥିବା ଏକାଧିକ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଆଜି ଆୟୋଜକ ଡମ୍ବରୁଧର ନାଏକ ଓ ଦୁର୍ଯ୍ୟୋଧନ ବେହେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।