ବେଙ୍ଗାଲୁରୁ,ଏଜେନ୍ସି: ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି(ଏନ୍ଆଇଏ) ପକ୍ଷରୁ ଗୁରୁବାର ଇସ୍ଲାମିକ୍ ଷ୍ଟେଟ୍(ଆଇଏସ୍) ଏକ ମୋଡ୍ୟୁଲ୍କୁ ଛାନ୍ଭିନ୍ କରାଯାଇଛି ଏବଂ ସଂଗଠନ ସହ ଲିଙ୍କ୍ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସଂଗଠନ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ଅବଦୁଲ୍ କୋଡର(୪୦) ଏବଂ ଇର୍ଫାନ୍ ନାସିର୍(୩୩)ଙ୍କୁ ବେଙ୍ଗାଲୁରୁରେ ଗିରଫ କରାଯାଇଛି । ଏନ୍ଆଇଏର ସୂଚନା ଅନୁଯାୟୀ, ୨୦୧୩-୧୪ରେ ପ୍ରାୟ ୧୪ଜଣ ଲୋକ ଆଇଏସ୍ ମୋଡ୍ୟୁଲ୍ରେ ବେଙ୍ଗାଲୁରୁଠାରୁ ଇରାକ ଏବଂ ସିରିୟା ଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ସିରିୟାରେ ଆଇଏସ୍ ପାଇଁ ଲଢି ନିହତ ହୋଇଥିଲେ ଏବଂ ଅନ୍ୟକିଛି ଲୋକ ଭାରତ ଫେରିଆସିଥିଲେ ।
ଗିରଫ ହୋଇଥିବା ଦୁଇଜଣ ବ୍ୟକ୍ତିଙ୍କ ଛଡ଼ା ଅନେକ ଫେରାର ରହିଛନ୍ତି । ଗିରଫ ହୋଇଥିବା ଅବ୍ଦୁଲ୍ ବ୍ୟାଙ୍କ୍ରେ କାମ କରୁଥିବା ବେଳେ ଇର୍ଫାନ୍ ପାରିବାରିକ ବ୍ୟବସାୟକୁ ସମ୍ଭାଳିବାରେ ସାହାଯ୍ୟ କରେ । ମୋଡ୍ୟୁଲ୍ର ସମସ୍ତ ସଦସ୍ୟଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ଅନୁସନ୍ଧାନ କରାଯାଉଛି ବୋଲି ଏନ୍ଆଇଏ ପକ୍ଷରୁ ସୂଚନା ଦିଆଯାଇଛି ।