୧୬ ହଜାର ଟଙ୍କା ଲୁଟ ମାମଲାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ପୁଲିସ ମୁଖ୍ୟାଳୟ ନିକଟସ୍ଥ ପୋଖରୀ ନିକଟରୁ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଛୁରୀ ଦେଖାଇ ୧୬ ହାଜର ଟଙ୍କା ଲୁଟି ନେବା ଅଭିଯୋଗରେ ଦେବଗଡ଼ ଥାନା ପୁଲିସ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୁରୁଣାଗଡ଼ ଗ୍ରାମର ବିଜୁ ମହନ୍ତ(୧୯) ନାମକ ଯୁବଜ କିଛିଦିନ ପୂର୍ବେ ନିଜ ମୋବାଇଲ ଫୋନକୁ ପାଞ୍ଚଗୋଛିଆ ସାହିର ରଞ୍ଜନ ପ୍ରଧାନଙ୍କୁ ବିକ୍ରି କରିଥିବା ବେଳେ ବାକି ଥିବା ୨ ହାଜର ଟଙ୍କା ମାଗି ଥିଲେ। ମାତ୍ର ରଞ୍ଜନ ଟଙ୍କା ନଦେଇ ଦିନ ଗଡ଼ାଇ ଚାଲିଥିଲେ। ତେବେ ଗତ ସୋମବାର ଦିନ ରଞ୍ଜନ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ବିଜୁଙ୍କୁ ଏସପି ଅଫିସ ପାଖରେ ଥିବା ପୋଖରୀ ନିକଟକୁ ଆସି ଟଙ୍କା ନେବାକୁ ଖବର ଦେବାରୁ ବିଜୁ ସେଠାରେ ପହଞ୍ଚି ଥିଲେ। ତେବେ ସେଠାରେ ପୂର୍ବରୁ ଥିବା ରଞ୍ଜନ ଏବଂ ତାଙ୍କ ଅନ୍ୟ ଜଣେ ସାଙ୍ଗ ଭୁବନ ଲୁହୁରା ବିଜୁଙ୍କ ହାତଗୋଡ ବାନ୍ଧି ପ୍ରବଳ ମାଡ ଦେଇଥିଲେ।

ପରେ ଛୁରୀ ଦେଖାଇ ଭୟଭୀତ କରି ତାଙ୍କୁ ସରତଳା ଗ୍ରାମ ନିକଟସ୍ଥ ଜଙ୍ଗଲକୁ ନେବା ସହ ତାଙ୍କ ନିକଟରେ ଥିବା ୧୬ ହଜାର ଟଙ୍କାକୁ ମଧ୍ଯ ଲୁଟି ନେଇଥିଲେ। ସେହିପରି ବିଜୁଙ୍କୁ ସେଠାରେ ହତ୍ୟା ଉଦ୍ୟମ ପାଇଁ ଯୋଜନା କରୁଥିବା ବେଳେ ବିଜୁ ସେଠାରୁ କୌଶଳ କ୍ରମେ ଖସିଆସି ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧରରେ ଦେବଗଡ଼ ଥାନା ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।