ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ବଡ଼ମାଲ ଫାଣ୍ଡିରୁ ଗତକାଲି ବିଳମ୍ବିତ ରାତିରେ ୨ ଅଭିଯୁକ୍ତ ଫେରାର ମାରିଛନ୍ତି । ଉକ୍ତ ଘଟଣାକୁ କେନ୍ଦ୍ର କରି ୩ଜଣ କନେଷ୍ଟବଳ ସତ୍ୟବାନ୍ ରାଉତ, ଅଶ୍ୱିନୀ ସେଠ୍ ଓ ସୁନୀଲ କୁମାର ମିଞ୍ଜଙ୍କୁ ଏସପି ନୀତିନ କୁଶଲକରଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି ।
ମିଳିଥିବା ରିପୋର୍ଟ ମୁତାବକ, ଗତ ୧୮ ତାରିଖରେ ସଇଁନ୍ତଲା ଥାନା ଅନ୍ତର୍ଗତ ବେଲଗା ଫାଣ୍ଡି ଅଧିନସ୍ଥ ବିନ୍ଧନବାହାଳି ମଦ ଭାଟିରୁ କିଛି ବ୍ୟକ୍ତି ଭାଟି ମେନେଜର ପିଣ୍ଟୁ ସିଂଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟିଥିବା ନେଇ ସଇଁନ୍ତଲା ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ସଇଁନ୍ତଲା ପୁଲିସ ତଦନ୍ତ କରୁଥିବାବେଳେ ଗତ ୨ଦିନ ହେଲା ୨ ଯୁବକକୁ ପୁଲିସ ବଡ଼ମାଲ ଫାଣ୍ଡିରେ ଅଟକ ରଖିଥିଲା । ଗତକାଲି ବିଳମ୍ୱିତ ରାତିରେ ୨ ଯୁବକ ବଡ଼ମାଲ ଫାଣ୍ଡିରେ ଖାଇ ସାରିବା ପରେ ହାତ ଧୋଇ ଗଲାବେଳେ ଫେରାର ମାରିଥିଲେ । ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ ଓ ବଡ଼ମାଲର କିଛି ଘରୋଇ ସିକ୍ୟୁରିଟି ୨ ଅଭିଯୁକ୍ତଙ୍କୁ ଖୋଜାଖୋଜି କରିଥିଲେ । ଖବର ପାଇ ସଇଁନ୍ତଲା ଥାନାଧିକାରୀ ଅବନୀ ସାହୁ ବଡ଼ମାଲ ଫାଣ୍ଡିକୁ ଆସି ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରିଥିଲେ । ପରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀ ମଧ୍ୟ ଆସି ଛାନଭିନ ଆରମ୍ଭ କରିଥିଲେ ।