କଂଗ୍ରେସ ସମେତ ୧୯ ପାର୍ଟି ଦ୍ୱାରା ନୂଆ ସଂସଦ ଭବନ ଉଦଘାଟନ ସମାରୋହ ବହିଷ୍କାର

ନୂଆଦିଲ୍ଲୀ: କଂଗ୍ରେସ ସମେତ ୧୯ ବିରୋଧୀ ପାର୍ଟି ନୂଆ ସଂସଦ ଭବନ ଉଦଘାଟନ ସମାରୋହ ବହିଷ୍କାର କରିବାକୁ ନେଇ ଘୋଷଣା କରିଛନ୍ତି । ଏ ସମସ୍ତ ପାର୍ଟି ଏକ ସଂଯୁକ୍ତ ବୟାନ ଜାରି କରିଛନ୍ତି । ଉକ୍ତ ବୟାନରେ କୁହାଯାଇଛି ଯେ, ଲୋକତନ୍ତ୍ରର ଆତ୍ମାକୁ ସଂସଦରୁ ନିଷ୍କାସିତ କରି ଦିଆଯାଇଛି । ଆମକୁ ଏହି ବିଲ୍ଡିଂର କୌଣସି ମୂଲ୍ୟ ଦିଶୁନି । ସେଥିପାଇଁ ଆମେ ନୂଆ ସଂସଦ ଭବନ ଉଦଘାଟନ ସମାରୋହ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛୁ । ଆମେ ଏହି ନିରଙ୍କୁଶ ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ବିରୋଧରେ ଲଢ଼େଇ ଜାରି ରଖିବୁ ।

ଏହି ବୟାନରେ ଆହୁରି ଦର୍ଶାଯାଇଛି ଯେ, ସରକାର ଲୋକତନ୍ତ୍ରକୁ ବିପଦରେ ପକାଇ ନିରଙ୍କୁଶ ଉପାୟରେ ନୂଆ ସଂସଦ ଭବନର ନିର୍ମାଣ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଦିନରେ ଆମେ ମତଭେଦ ଦୂର କରିବାକୁ ପ୍ରସ୍ତୁତ ଥିଲୁ । କିନ୍ତୁ ଯେଉଁଭଳି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କୋଣଠେସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନୂଆ ସଂସଦ ଭବନର ଉଦଘାଟନ କରିବାର ନିଷ୍ପତ୍ତି ନିଆଯାଇଛି ତାହା କେବଳ ରାଷ୍ଟ୍ରପତି ପଦର ଅପମାନ ନୁହେଁ ବରଂ ଲୋକତନ୍ତ୍ର ଉପରେ ସିଧା ଆକ୍ରମଣ ।