ପିସିସି ନିଷ୍ପତ୍ତି ପ୍ରତିବାଦରେ ୧୯ ପଦାଧିକାରୀଙ୍କ ଇସ୍ତଫା

ଦେବଗଡ଼,ଏନ୍‌ଏନ୍‌ଏସ୍ : ରଜ ଅବସରରେ ସାରା ରାଜ୍ୟରେ ଉତ୍ସବର ମାହୋଲ ଥିବାବେଳେ ଦେବଗଡ଼ ଜିଲ୍ଲା କଂଗ୍ରେସରେ ଅଶାନ୍ତି ଓ ଅସନ୍ତୋଷର ସ୍ୱର ଦେଖାଦେଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ତରବରିଆ ଜିଲ୍ଲା କଂଗ୍ରେସ ସଭାପତି ପରିବର୍ତ୍ତନ ନିଷ୍ପତ୍ତି ପ୍ରତିବାଦରେ ଆଜି ଜିଲ୍ଲା କଂଗ୍ରେସର ମହିଳା ସଭାନେତ୍ରୀ ମଞ୍ଜୁଲତା ନାୟକ, ନଗର ମହିଳା କଂଗ୍ରେସ ସଭାପତି ସତ୍ୟବତୀ ଭୁକ୍ତା, ତିଳେଇବଣି ବ୍ଲକ ମହିଳା ସଭାନେତ୍ରୀ ମାର୍ଗରେଟ ବାର୍ଲା, ରିଆମାଳ ବ୍ଲକ ମହିଳା ସଭନେତ୍ରୀ ରୀନା ରାଣୀ ମିତ୍ର, ବାରକୋଟ ବ୍ଲକ ମହିଳା ସଭାନେତ୍ରୀ ସବିତା ନାୟକ, ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ସଚ୍ଚିଦାନନ୍ଦ ପଟ୍ଟନାୟକ, ସାଧାରଣ ସମ୍ପାଦକ କ୍ଷିତୀଶ କୁମାର ପ୍ରଧାନ, ଜୟନାରାୟଣ ସାହୁ, ରାକେଶ କୁମାର ବେହେରା,କୋଷାଧ୍ୟକ୍ଷ ସୁଶୀଲ କୁମାର ନାୟକ, ଓବିସି ସେଲ ଜିଲ୍ଲା ସଭାପତି ଡିଲେଶ୍ୱର ସାହୁଙ୍କ ସମେତ ସମସ୍ତ ବ୍ଲକ ଓବିସି ସେଲ ସଭାପତି, ସୋସିଆଲ ମିଡ଼ିଆ ସେଲ ମୁଖ୍ୟ ପଞ୍ଚୁଲାଲ ବରାଇ, ପୂର୍ବତନ ନଗରପାଳ ନେତ୍ରାନନ୍ଦ ସାମଲ, କାର୍ଯ୍ୟକାରୀ ସଦସ୍ୟ ବସନ୍ତ କୁମାର ମିଶ୍ର, ପ୍ରମୋଦ କୁମାର ମିଶ୍ର, ନଗର ସଭାପତି ପ୍ରକାଶ କୁମାର ଦେବତା, ନଗର ଉପସଭାପତି ବିକାଶ ଖଡ଼ିରତ୍ନ, ନଗର କଂଗ୍ରେସ ସମ୍ପାଦକ ଶମ୍ଭୁନାଥ ପ୍ରଧାନ ଓ ଆଶିଷ କୁମାର ଦାଣ୍ଡିଆଙ୍କ ସମେତ କଂଗ୍ରେସର ବିଭିନ୍ନ ୱ୍ୱିଙ୍ଗର ପଦାଧିକାରୀ ବୃନ୍ଦ ନିଜ ନିଜ ପଦବୀରୁ କମିଟି ସହ ଇସ୍ତଫା ପ୍ରଦାନ କରିଛନ୍ତି । ଜିଲ୍ଲା ମହିଳା ସଭାନେତ୍ରୀ ମଞ୍ଜୁଲତା ନାୟକଙ୍କ ଆବାହକତ୍ୱରେ ଏକ ଘରୋଇ ହୋଟେଲରେ ଉପୋରକ୍ତ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ହୋଇ ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତିକୁ ପ୍ରତିବାଦ କରିବା ସହ ପିସିସିର ନିଷ୍ପତ୍ତି ଫଳରେ ଜିଲ୍ଲାରେ କଂଗ୍ରେସ ସଂଗଠନ ଦୃଢ଼ ନେତୃତ୍ୱ ଅଭାବରେ ଭୁଷୁଡ଼ିବା ନିଶ୍ଚିତ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହାସହ କଂଗ୍ରେସ ଦଳରେ ରହି ଲୋକଙ୍କ ପାଇଁ ସେବା କରିବା ଅସମ୍ଭବ ମନେହେବାରୁ ସେମାନେ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି । ଜିଲ୍ଲା କଂଗ୍ରେସରେ ଏତେ ସଂଖ୍ୟକ କର୍ମୀ ଓ ପଦାଧିକାରୀ ଏକ ସମୟରେ ଇସ୍ତଫା ଦେବା ଜିଲ୍ଲାରେ ପ୍ରଥମଥର ଦେଖିବାକୁ ମିଳିଥିବାବେଳେ ୨୦୨୪ ନିର୍ବାଚନ ପାଇଁ ଦଳର ଶକ୍ତି ହ୍ରାସ ବିରୋଧୀଙ୍କ ମନୋବଳକୁ ସୁଦୃଢ଼ କରିଛି ।