ମେଡିସିନ ୱାର୍ଡରୁ ୧୭ ସଂକ୍ରମିତ ଚିହ୍ନଟ

ଦେବଗଡ଼,ଏନ୍ଏନ୍ଏସ୍: ସଂପ୍ରତି ଦେବଗଡ଼ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟ ବୃଦ୍ଧି ପାଉଥିବାବେଳେ ଆଜି ଗୋଟିଏ ଦିନରେ ଦେବଗଡ ଜିଲ୍ଲା କୋଭିଡ କେୟାର ରୁ ସ୍ଥାନାନ୍ତର ହୋଇଥିବା ୨ କରୋନା ସଂକ୍ରମିତ ମହିଳାଙ୍କ କେନ୍ଦୁଝର ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିସିନ ୱାର୍ଡରୁ ଗତକାଲି ରାତିରେ ୧୭ ସଂକ୍ରମିତ ଚିହ୍ନଟ ପରେ ସେମାନଙ୍କୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ଘଣ୍ଟା ମଧ୍ୟରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୫ଶହରୁ ଉଦ୍ଧ୍ୱର୍ ଜନସାଧାରଣ ଙ୍କ କରୋନା ପରୀକ୍ଷା କରାଯାଇଥିବା ବେଳେ ଶତାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ସଂକ୍ରମିତ ଙ୍କ ସଠିକ ତଥ୍ୟ ପ୍ରକାଶ କରୁ ନଥିବାରୁ ଜନସାଧାରଣ ଦ୍ୱନ୍ଦରେ ରହୁଥିବା ବେଳେ ଆଜି ସରକାରୀ ଭାବେ ଜିଲ୍ଲାରୁ ୯୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସୂଚନା ପ୍ରଦାନ କରାଯାଇଛି। ଅନ୍ୟ ପକ୍ଷରେ ଗତକାଲି ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିସିନ ୱାର୍ଡରୁ ୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ସହ ଡାକ୍ତରଖାନାର ଜଣେ ସେବିକା ସଂକ୍ରମିତ ହୋଇଛନ୍ତି।