ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ସଂକ୍ରମଣ ପୁଣି ଭୟାବହ ହେବାରେ ଲାଗିଛି। ଏନେଇ ବିଭିନ୍ନ ଆନ୍ତର୍ଜାତୀୟ ସ୍ତରରେ ପୁଣି କଟକଣା ଲାଗୁ ହୋଇଥିବା ବେଳେ ଦେଶରେ ଅନେକ ସ୍ଥାନରେ କର୍ଫ୍ୟୁ ଫେରିଛି। ଏହି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟାରେ ଆଉ ୧୬,୭୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୯୬ ହଜାର ୭୩୧ରେ ପହଞ୍ଚିଛି।
ଦେଶରେ ଗତ ୨୪ ଘଣ୍ଟାରେ ଆଉ ୧୧୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧,୭୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ଦେଶରେ ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୬୪ ହଜାର ୫୧୧ ରହିଛି। ସେହିପରି ଦେଶରେ କରୋନାରୁ ୧ କୋଟି ୭ ଲକ୍ଷ ୭୫ ହଜାର ୧୬୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧ ଲକ୍ଷ ୫୭ ହଜାର ୫୧ ଜଣଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ ୧ କୋଟି ୪୩ ଲକ୍ଷ ୧ ହଜାର ୨୬୬ ଜଣ କରୋନା ଟିକା ନେଇସାରିଲେଣି।