୧୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଟାଉନ୍ ଥାନା ପୁଲିସ ଦ୍ୱାରା ୫୨୫ କିଲୋ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଘଟଣାରେ ଜଣକୁ ଗିରଫ କରାଯାଇଥିବା ଟାଉନ୍ ଏସଡିପିଓ ଗୁଣନିଧି ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧୫ ଲକ୍ଷ ୭୫ ହଜାର ୮୭୦ ଟଙ୍କା ହେବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ସେମିଲିଗୁଡାରୁ କୋରାପୁଟ ଦେଇ ଉତ୍ତର ପ୍ରଦେଶକୁ ଏକ ମିନି ଟ୍ରକ(ୟୁପି-୭୭ଏଏନ୍-୩୮୬୪)ରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା କୋରାପୁଟ ଟାଉନ୍ ଥାନା ଅଧିକାରୀଙ୍କୁ ସୂଚନା ମିଳିଥିଲା।

ସୂଚନା ଅନୁଯାୟୀ ଥାନା ଅଧିକାରୀ ଧୀରେନ୍ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସବ-ଇନସପେକ୍ଟର ଯୋଶବନ୍ତ ସେଲମା ଓ ଅନ୍ୟ କର୍ମଚାରୀ ସେମିଲିଗୁଡା-କୋରାପୁଟ ୨୬ ନଂ ଜାତୀୟ ରାଜପଥର ଲାଣ୍ଡିଗୁଡା କଲେଜ୍ ଛକରେ ପହଞ୍ଚି ଯାନ ବାହନ ଯାଞ୍ଚ କରିଥିଲେ। ଉପରୋକ୍ତ ମିନି ଟ୍ରକ୍ ଯାଞ୍ଚ କରିବାରୁ ସେହି ଗାଡିରୁ ୨୦ଟି ଜରି ଅଖାରେ ଗଞ୍ଜେଇ ଭର୍ତ୍ତି ଥିବା ଜଣାପଡ଼ିଥିଲା। କୋରାପୁଟ ତହସିଲଦାର ତଥା ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ରଞ୍ଜନ କୁମାର ମାନସେଠଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା। ୨୦ଟି ଜରି ଅଖାରୁ ମିଳିଥିବା ଗଞ୍ଜେଇର ଓଜନ ୫୨୫ କିଲୋ ୯୦ ଗ୍ରାମ୍ ହୋଇଥିବାବେଳେ ଘଟଣାରେ ପୁଲିସ ଉତ୍ତର ପ୍ରଦେଶ ଉନ୍ନାଓ ଜିଲ୍ଲା ଅଚଲଗାନୀ ଥାନା ଶିବାପୁର ଗ୍ରାମର ଅଙ୍କିତ କୁମାରକୁ ଗିରଫ କରିଥିବା ଏସଡିପିଓ ସୂଚନା ଦେଇଛନ୍ତି। ଗଞ୍ଜେଇ ଓ ମିନି ଟ୍ରକ୍ ସମେତ ପୁଲିସ ଅଙ୍କିତ ଠାରୁ ୫୦୦ ଟଙ୍କା ଓ ଗାଡିର କାଗଜ ଜବତ କରିଛି।