ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ପୁଲିସ ବାହାର ରାଜ୍ୟକୁ ଚାଲାଣ ହେଉଥିବା ୧୪ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଏଥିରେ ୪ଜଣ ଶିଶୁ ମଧ୍ୟ ରହିଥିବା ଜଣାପଡ଼ିଛି । ଅନ୍ୟପଟେ ଜଣେ ଦାଦନ ସର୍ଦ୍ଦାର ରତନ ବିଶ୍ୱାଳଙ୍କୁ ଗିରଫ କରାଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ରାତିରେ ସ୍ଥାନୀୟ ବସଷ୍ଟାଣ୍ଡରୁ ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଏକ ଘରୋଇ ବସ ଯୋଗେ ଯାଉଥିବା ନେଇ ପାଟଣାଗଡ଼ ପୁଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ପରେ ପଟଣାଗଡ଼ ଥାନା ଏସଆଇ ସୁଦର୍ଶନ ଦୋରାଙ୍କ ସହ କିଛି ପୁଲିସ କର୍ମଚାରୀ ମିଶି ଉପରୋକ୍ତ ୧୬ ଜଣଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କୁ ଆଣି ଅଧିକ ତଦନ୍ତ କରିବା ପରେ ଦାଦନ ସର୍ଦ୍ଦାର ରତନ ବିଶ୍ୱାଳ ଗଟକଟ ଗ୍ରାମ ଓ ସୋଲବନ୍ଧ ଗ୍ରାମର ଶ୍ରମିକଙ୍କୁ ଅଗ୍ରୀମ ୪୦ ହଜାର ଟଙ୍କା ଦେଇ ହାଇଦ୍ରାବାଦକୁ ଚାଲାଣ କରିଥାନ୍ତା ବୋଲି ଜଣାପଡ଼ିଥିଲା । ଉଦ୍ଧାର ଶ୍ରମିକଙ୍କୁ ନିଜ ନିଜ ଗ୍ରାମକୁ ପଠାଇ ଦେଇ ଦାଦନ ସର୍ଦ୍ଦାରକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।