୫ ମାସର ଶିଶୁପୁତ୍ରକୁ ବଞ୍ଚାଇବାକୁ ଗୋଟିଏ ଇଂଜେକସନ ପାଇଁ ଖର୍ଚ୍ଚକଲେ ୧୬ କୋଟି

ଅହମ୍ମଦାବାଦ,ଏଜେନ୍ସି: ପାଞ୍ଚମାସର ଶିଶୁପୁତ୍ରର ଜୀବନ ବଞ୍ଚାଇବାକୁ ଗୁଜରାଟର ଏକ ଦମ୍ପତି ଗୋଟିଏ ଇଂଜେକସନ ପାଇଁ ୧୬ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି। ବୁଧବାର ମୁମ୍ବାଇର ଏକ ହସ୍ପିଟାଲରେ ଶିଶୁକୁ ଏହି ଦାମୀ ଇଂଜେକସନ ଦିଆଯାଇଛି ବୋଲି ପିତା ରାଜଦୀପ ସିଂହ ରାଠୋର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରାଜଦୀପ ହେଉଛନ୍ତି ମାହିସାଗର ଜିଲ୍ଲା ଅନ୍ତର୍ଗତ ଲାନାୱାଡା ସହରର ବାସିନ୍ଦା। ପାଞ୍ଚମାସ ପୂର୍ବେ ତାଙ୍କ ପତ୍ନୀ ଜିନାଲବା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ତେବେ ଦୁଭାର୍ଗ୍ୟବଶତଃ ଶିଶୁୁପୁତ୍ରଟି ‘ସ୍ପାଇନାଲ ମସ୍କୁଲାର ଆଟ୍ରୋଫି’ ରୋଗରେ ଆକ୍ରାନ୍ତ ହୋଇଥିଲା। ଏହି ରୋଗ ଯୋଗୁଁ ମଣିଷ ଶରୀରରେ ଜେନେଟିକ୍ ଡିଜଅର୍ଡର ଦେଖାଦେଇଥାଏ। ମେରୁଦଣ୍ଡ ଓ ମସ୍କିଷ୍କରେ ଥିବା ସ୍ନାୟବିକ ତନ୍ତୁ ନଷ୍ଟ ହେବାଫଳରେ ଶ୍ୱାସପ୍ରକ୍ରିୟା ବାଧାପାପ୍ତ ହେବାସହିତ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇପଡିଥାଏ। ଡାକ୍ତରଙ୍କୁ ପରାମର୍ଶ କରିବାପରେ ସେମାନେ ସୁଇଜରଲାଣ୍ଡରେ ପ୍ରସ୍ତୁତ ହେଉଥିବା ଜିନ୍ ଥେରାପି ଇଂଜେକସନ ‘ଜୋଲଜେନସମା’ ବ୍ୟବହାର କରିବାକୁ କହିଥିଲେ। ସୁଇସ୍ କମ୍ପାନୀ ନୋଭାର୍ଟିସ ଦ୍ୱାରା ପ୍ରସ୍ତୁତ ଏହି ଇଂଜେକସନର ମୂଲ୍ୟ ୧୬ କୋଟି ଟଙ୍କା ହୋଇଥିବାବେଳେ ବହିଃଶୁଳକ୍ ଖର୍ଚ୍ଚ ଆଉ ୬.୫ କୋଟି।

ତେବେ ରାଜଦୀପଙ୍କ କ୍ଷେତ୍ରରେ ସରକାର ବହିଃଶୁଳକ ଛାଡ କରିଛନ୍ତି। ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ରାଜଦୀପଙ୍କ ପାଇଁ ୧୬ କୋଟି ଯୋଗାଡ କରିବା ସ୍ୱପ୍ନ ସମାନ ହୋଇଥିଲେ ସୁଦ୍ଧା ସେ ଆଶା ହରାଇନଥିଲେ। ଗତ ମାର୍ଚ୍ଚରେ ସୋସିଆଲ ମିଡିଆରେ ପୁତ୍ରର ଫଟୋ ଓ ଡାକ୍ତରୀ ରିପୋର୍ଟ ଅପଲୋଡ କରି ସେ ବିଭିନ୍ନ ମହଲରୁ ଆର୍ôଥକ ସହାୟତା ଲୋଡିଥିଲେ। ୪୨ ଦିନ ମଧ୍ୟରେ ଏହି ଟଙ୍କା ଯୋଗାଡ ହୋଇଥିଲା। ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବାବେଳେ ଅଙ୍ଗପ୍ରତ୍ୟଙ୍ଗ ଆସ୍ତେ ଆସ୍ତେ କାର୍ଯ୍ୟ କରୁଥିବା ଜଣାପଡିଛି।