ବିଜେପିରେ ଫାଟ, ଇସ୍ତଫା ଦେଲେ ୧୫ ଜିଲ୍ଲାପରିଷଦ ସଦସ୍ୟ

  • ବାରିପଦା: ମୟୂରଭଞ୍ଜରେ ଭୁଶୁଡିବା ଆରମ୍ଭ କଲାଣି ଜିଲ୍ଲା ବିଜେପି। ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ୧୫ ଜିଲ୍ଲାପରିଷଦ ସଦସ୍ୟ। ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ମନମୁଖି କାର୍ଯ୍ୟ ଓ ସ୍ୱେଚ୍ଛାଚାରୀ ଶାସନରେ ଅତିଷ୍ଠ ହୋଇ ଇସ୍ତଫା ଦେଲେ ଜିଲ୍ଲା ପରିଷଦ ସଦସ୍ୟ। ଜିଲ୍ଲା ପରିଷଦକୁ ଉନ୍ନୟନ କାର୍ଯ୍ୟ ବାବଦକୁ ଆସୁଥିବା ଅର୍ଥ ବଣ୍ଟନରେ ଅଧ୍ୟକ୍ଷା ପାତରଅନ୍ତର କରୁଥିବା ଅଭିଯୋଗ ହୋଇଛି। ଦଳୀୟ ବରିଷ୍ଠ ନେତା ଏ ସମ୍ବନ୍ଧରେ ଜାଣି ମଧ୍ୟ ଚୁପ୍ ରହି ଅଧ୍ୟକ୍ଷାଙ୍କୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି।
  • ଏହାସହିତ ଜିଲ୍ଲାପରିଷଦରେ ଅଯଥା ହସ୍ତକ୍ଷେପ ମଧ୍ୟ କରୁଥିଲେ। ବିଜେପିର ଶୀର୍ଷସ୍ତରୀୟ ନେତାମାନେ ନିରବ ରହି ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ କରିଛନ୍ତି ସଦସ୍ୟ। ଏହା ସହିତ ଦଳରେ ସ୍ୱାଧୀନ ମତକୁ ହତ୍ୟା କରାଯାଉଥିବା ଅଭିଯୋଗ ଆଣିଛନ୍ତି ଦଳ ଛାଡିଥିବା ସଦସ୍ୟ। ଗତ ୫ ବର୍ଷ ମଧ୍ୟରେ ଜିଲ୍ଲାପରିଷଦ ତରଫରୁ କୌଣସି ଉନ୍ନୟନ କାର୍ଯ୍ୟ ହାତକୁ ନିଆଯାଇନାହିଁ। ଲୋକସଭାରେ ବିଜେପି ପ୍ରତିନିଧି ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ଜିଲ୍ଲାରେ ବିକାଶ ବାଧାପ୍ରାପ୍ତ ହୋଇଛି। ୬ ଜଣ ନିର୍ବାଚିତ ବିଧାୟକଙ୍କ ସହିତ ସାଂସଦଙ୍କ ମତାନ୍ତର କାରଣରୁ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଜିଲ୍ଲାରେ ବିକାଶ୍ ଠପ୍ ହୋଇଯାଇଛି।
  • ଏଣୁ ବିଜେପି ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି ୧୫ ଜିଲ୍ଲା ପରିଷଦ ସଦସ୍ୟ। ଜିଲ୍ଲାପରିଷଦ ସଭ୍ୟ ପଦ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଗତ ୨୦୧୭ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାର ମୋଟ ୫୬ଟି ଆସନରୁ ୪୯ଟି ଆସନ ଦଖଲ କରିଥିଲା ବିଜେପି। କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିର ଜନବିରୋଧୀ ଆଚରଣ ପଦାରେ ପଡିଛି।