୧୫ କ୍ୱିଂଟାଲ ଗଞ୍ଜେଇ ଚୋରା ଚାଲାଣ : ୨ ଗିରଫ  

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଏସାର କମ୍ପାନୀ ଛକ ନିକଟରେ ପୋଲିସ ଗାଡ଼ି ଯାଂଚ ବେଳେ ସିମେଂଟ ବୋଝେଇ କରି ଏକ ଟ୍ରକରେ ଗଞ୍ଜେଇ ଚୋରାଚାଲାଣ ବେଳେ ୩୫୦ ବସ୍ତା ସିମେଂଟ, ୧୫ କ୍ୱିଂଟାଲ ଗଞ୍ଜେଇ ଓ ଟ୍ରକ ଜବତ କରିବା ସହ ଏଥିରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରିଛି। ଚିତ୍ରକୋଣ୍ଡା ଥାନା ଭାରପ୍ରାପ୍ତ ନିରୀକ୍ଷକ ଯୁଗଳ କିଶୋର ଶବରଙ୍କ ନେତୃତ୍ୱରେ କର୍ମଚାରୀମାନେ ସୋମବାର ରାତ୍ରିରେ ଏସାର କମ୍ପାନୀ ଛକ ନିକଟରେ ଗାଡ଼ିର କାଗଜ ପତ୍ର ଯାଂଚ କରୁଥିବା ବେଳେ ଆନ୍ଧ୍ର ପ୍ରଦେଶର ଦାରାକୋଣ୍ଡା ପଟରୁ ଏକ ଟ୍ରକ ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସ ଅଟକାଇଥିଲା। ଏହା ଦେଖି ୨ ଜଣ ଟ୍ରକରୁ ଓହ୍ଲାଇ ଦୌଡ଼ି ପଳାଉଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା।

ପରେ ଟ୍ରକକୁ ଯାଂଚ କରିବାରୁ ସେଥିରେ ସିମେଂଟ ବସ୍ତା ସହ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା। ପୋଲିସ ସଂପୃକ୍ତ ୨ ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ଟ୍ରକ, ଗଞ୍ଜେଇ ଓ ସିମେଂଟ ବସ୍ତା ସହ ୨ ଟି ମୋବାଇଲ ଫୋନ ଓ ୫ ହଜାର ଟଙ୍କା ନଗଦ ଟଙ୍କା ଜବତ କରିଛି। ଏହି ଗଞ୍ଜେଇ ଆନ୍ଧ୍ର ପ୍ରଦେଶର ଦାରାକୋଣ୍ଡାରୁ ଅନୁଗୁଳକୁ ଚାଲାଣ ବେଳେ ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ୨ ଜଣ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ନାଲକୋ ଅଂଚଳର କାଳଣ୍ଡାସାରର ବିଶ୍ୱଜିତ ଭାଦୁରୀ (୨୬) ଓ ବନରପାଲ ଗ୍ରାମର ସିନୁ ସାମଲ(୨୩) ବୋଲି ଜଣାପଡ଼ିଛି। ଜବତ ଗଞ୍ଜେଇ ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ଆରକ୍ଷୀ ଅଧିକ୍ଷକ ରିଷିକେଷ ଡି.ଖିଲାରୀ ସୂଚନା ଦେଇଛନ୍ତ।

ଅଭିଯୁକ୍ତଙ୍କ ନାମରେ ଚିତ୍ରକୋଣ୍ଡା ଥାନା କେସ ନମ୍ବର ୧୩୧ ରେ ଏକ ମାମଲା ରୁଜ୍ଜୁ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଆରକ୍ଷୀ ଅଧିକ୍ଷକ ଶ୍ରୀ ଖିଲାରୀ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ଗତ ୨୦୧୮ ମସିହାରେ ମାଲକାନଗିରି ପୋଲିସ ୧୦୨ ଟି ଗଞ୍ଜେଇ ମାମଲା ରୁଜ୍ଜୁ କରିଥିବା ବେଳେ ମୋଟ ୧୭୧୧୮ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ୧୭୯ ଜଣଙ୍କୁ ଗିରଫ କରିଛି। ଗିରଫ ମୋଟ ୧୭୯ ଜଣଙ୍କ ମଧ୍ୟରୁ ୮୯ ଜଣ ଅଭିଯକ୍ତ ବାହାର ରାଜ୍ୟର ହୋଇଥିବା ବେଳେ ମୋଟ ୮୩ ଟି ଗାଡ଼ି ଜବତ କରିଥିବା ଜଣାପଡ଼ିଛି। ଏଥିସହ ଚଳିତ ବର୍ଷ ବର୍ତମାନ ଯାଏଁ ୮୮ ଟି ମାମଲା ରୁଜ୍ଜୁ କରାଯାଇଥିବା ବେଳେ ୧୯୯୯୭୪୪ କିଲ୍ରୋଗାମ ଗଞ୍ଜେଇ ଜବତ କରାଯାଇ ୧୯୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ୧୯୧ ଜଣଙ୍କ ମଧ୍ୟରୁ ୬୦ ଜଣ ରାଜ୍ୟ ବାହାରର ବୋଲି ଜଣାପଡ଼ିଥିବା ବେଳେ ଏଥିରେ ୭୧ ଟି ଗାଡ଼ି ଜବତ କରାଯାଇଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀ ଖିଲାରୀ ସୂଚନା ଦେଇଛନ୍ତି।