ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ନିକଟରେ ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରଶାସନ

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: ଏଥର କେବଳ ପୁରୀରେ ହେବ ରଥଯାତ୍ରା। ବଳଦେବଜୀଉଙ୍କ ରଥଯାତ୍ରା କରିବାକୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। କିନ୍ତୁ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଏଥିପାଇଁ କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ନିକଟରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ମନ୍ଦିର ଚତୁଃପାର୍ଶ୍ବ, ରଥଦାଣ୍ଡ ସମେତ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ୧୪୪ ଲାଗୁ କରାଯାଇଛି। ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି।

ଗତକାଲି ସନ୍ଧ୍ୟା ୬ଟାରୁ ୧୪୪ ଧାରା ଜାରି ହୋଇଛି। ଯାହାକି ଆସନ୍ତା ଶୁକ୍ରବାର ସକାଳ ୭ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଶ୍ରୀଜିଉଙ୍କ ନୀତିକାନ୍ତି ଯଥା ରୀତିନୀତି ଅନୁସାରେ କରାଯିବ। ନୀତିକାନ୍ତି ଓ ଦୈନିକ ସେବା ନେଇ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି। ଏହି ସମୟ ମଧ୍ୟରେ ମନ୍ଦିର ଆଖପାଖରେ କୌଣସି ପ୍ରକାର ଭିଡ କରିବାକୁ ଦିଆଯିବ ନାହିଁ ବୋଲି ଉପଜିଲ୍ଲାପାଳ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି।