ସଂକ୍ରମଣରେ ଲାଗୁନି ବ୍ରେକ, ପୁଡୁଚେରୀରେ ୧୪ ଦିନିଆ ଲକଡାଉନ

ପୁଡୁଚେରୀ,ଏଜେନ୍ସି: ଦିନକୁ ଦିନ ଦ୍ରୁତ ଗତିରେ ବଢିଚାଲିଛି କରୋନା ସଂକ୍ରମଣ। ସଂକ୍ରମଣକୁ ରୋକିବା ପାଇଁ ଦେଶରେ ବିଭିନ୍ନ ରାଜ୍ୟରେ ଲକଡାଉନ ଲାଗୁ ହୋଇଛି। ପୁଡୁଚେରୀରେ ମେ’ ୧୦ ତାରିଖରୁ ୧୪ ଦିନିଆ ଲକଡାଉନ ଲାଗୁ କରିବାକୁ ଶନିବାର ଘୋଷଣା କରିଛନ୍ତି ପୁଡୁଚେରି ସରକାର।

ମେ’ ୧୦ ତାରିଖ ମଧ୍ୟରାତ୍ରିରୁ ମେ ୨୪ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିବ। ଏହା ସହିତ କରୋନା ସଂକ୍ରମଣ ପାଇଁ ଏକ ନୂଆ ଗାଇଡଲାଉନ ଜାରି କରିଛନ୍ତି ପୁଡୁଚେରି ସରକାର। ଏପ୍ରିଲ ୧୭ରେ ହୋଇଥିବା ଲକଡାଉନ ପ୍ରଭାବଶାଳୀ ଥିଲା। ଏହା ପରେ ବି ପୁଣି ଉପରମୁହାଁ ହୋଇଛି କରୋନା ଗ୍ରାଫ। ତେଣୁ ପୁଣି ଲକଡାଉନ କରିବା ଆବଶ୍ୟକତା ହୋଇଛି। ଲକଡାଉନରେ ସମସ୍ତ ପାର୍କ, ଗାର୍ଡେନ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ।

ଏହି ସହିତ ଜନସମାଗମ ଉପରେ କଟକଣା ଲାଗୁ ହୋଇଛି। ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ ସହିତ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ। ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ଖାଦ୍ୟ, ମାଛ, ମାଂସ ଦୋକାନ ସକାଳ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। ପୁଡୁଚେରିରେ ଶନିବାର ୧,୭୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ୨୪ ଘଣ୍ଟାରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ରାଜ୍ୟରେ ମୋଟ ୭୦ ହଜାର ୭୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି।