ବାଳାଶ୍ରମରୁ ୧୩ ଜଣ ନାବାଳିକାଙ୍କ ମିଳୁନି ପତ୍ତା

ବ୍ରହ୍ମପୁର,ଏନ୍ଏନ୍ଏସ୍ : ବ୍ରହ୍ମପୁର ଗୋସାଇନୁଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମରୁ ୧୩ ଜଣ ନାବାଳିକା ନିଖୋଜ ହୋଇଯାଇଛନ୍ତି । ସୋମବାର ରାତିରେ ଏହି ନାବାଳିକାମାନେ ମିଳିତ ଭାବେ ଲୁଚିଛପି ଆଶ୍ରମ ଛାଡିଥିବା ଶୁଣିବାକୁ ମିଳୁଛି। ମଙ୍ଗଳବାର ସକାଳୁ ଉକ୍ତ ଘଟଣା ଜଣାପଡ଼ିଥିଲେ ମଧ୍ୟ ବାଳାଶ୍ରମ କର୍ତ୍ତୃପକ୍ଷ ପୁଲିସ ସମ୍ମୁଖରେ ଅଭିଯୋଗ କରିନଥିବା ଜଣାପଡ଼ିଛି । କୌଣସି ସୂତ୍ରରୁ ଏନେଇ ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଥିଲା।

ଏହି ସରକାରୀ ଗୃହରେ ରହିଥିବା ଅସହାୟ ନାବାଳିକମାନେ କେଉଁ ଆଡେ ଗଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାବତ ମିଳିପାରି ନାହିଁ। ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ଓ ବାଳାଶ୍ରମ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏହା ଘଟିଥିବା ଅଭିଯୋଗ ହେଉଛି । ନିଖୋଜ ନାବାଳିକାଙ୍କ ଶେଷ ଲୋକେସନ ଭୁବନେଶ୍ୱର ବୋଲି ଜଣାପଡ଼ିଛି। ଏହାପରେ ସେମାନଙ୍କୁ ଖୋଜିବାକୁ ଏକ ପୁଲିସ ଦଳ ଭୁବନେଶ୍ୱର ଯାଇଛନ୍ତି ବୋଲି ଗୋଶାଣିନୁଆଗାଁ ଥାନା ଅଧିକାରୀ ସୁମିତ ସୋରେନ କହିଛନ୍ତି ।