ବାଲିଗୁଡ଼ା,ଏନ୍ଏନ୍ଏସ୍: ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍ ମହୋତ୍ସବ”। ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଠାରେ ଅବସ୍ଥିତ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମାଣ୍ଡାଣ୍ଟ୍ ଆନନ୍ଦ ଝା’ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବାଟାଲିୟନର ଅନ୍ୟ ପଦାଧିକାରୀ ଓ ଯବାନଙ୍କ ସହ ବାଲିଗୁଡ଼ା ବଣିକ ସଂଘ, ଅଟୋ ଚାଳକ ସଙ୍ଘର ସଦସ୍ୟଙ୍କ ସମେତ ସହରର ବହୁ ଜନସାଧାରଣ ସାମିଲ୍ ହୋଇଥିଲେ। ବାଲିଗୁଡ଼ା ବସ୍ ଷ୍ଟାଣ୍ଡ୍ ନିକଟରେ ସମସ୍ତେ ଏକାଠି ହୋଇ ହାତରେ ତ୍ରିରଙ୍ଗା ଧରି “ବନ୍ଦେ ମାତରମ୍” “ଭାରତ ମାତା କି ଜୟ” ସ୍ଲୋଗାନ୍ ଦେଇ ସହରର ମୁଖ୍ୟ ବଜାର ଦେଇ ଏକ ବିଶାଳ ପଦଯାତ୍ରା ଓ ବାଇକ ଶୋଭାଯାତ୍ରାରେ ବାହାରି ବାଲିଗୁଡ଼ା ଥାନା ପରିସରରେ ଥିବା ସିଆରପିଏଫ୍ କ୍ୟାମ୍ପରେ ପହଞ୍ଚିଥିଲେ।
ଏହାପରେ ଚଳିତ ମାସ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବା ସହ ଭାରତ ମା’ ର ସେବାରେ ନିଜକୁ ଉତ୍ସର୍ଗୀକୃତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେବାସହ ଏହି କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ସହ ଜଣେ ଭାରତୀୟ ନାଗରିକ ଭାବେ ନିଜକୁ ଗର୍ବ ଓ ଗୌରବ କରିବାକୁ କରିବାକୁ ଆହ୍ବାନ୍ ଦେଇଥିଲେ କମାଣ୍ଡାଣ୍ଟ୍ ଶ୍ରୀ ଝା। ଜନସାଧାରଣଙ୍କୁ ସାଥିରେ ନେଇ ସିଆରପିଏଫ୍ ପକ୍ଷରୁ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି।