ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି -ବାଲିମେଳା ମୁଖ୍ୟ ରାସ୍ତାର ଗୌଡ଼ଗୁଡ଼ା ଛକରୁ ଗତକାଲି ରାତିରେ ପୁଲିସ ଯାଞ୍ଚକରି ଏକ ଗାଡିରୁ ୧୨୦ କେଜି ଗଞ୍ଜେଇ ଜବତ କରିଥିବାବେଳେ ୪ ଜଣଙ୍କୁ ଗିରଫ କରିଛି। ମାଲକାନଗିରି ଥାନା ଏସଆଇ ଶିବ ପ୍ରସାଦ ଭଦ୍ରଙ୍କ ନେତୃତ୍ୱରେ ପୁଲିସ ଦଳ ଗୌଡଗୁଡ଼ା ଛକରେ ପାଟ୍ରୋଲିଂ ସହ ଗାଡ଼ି ଯାଞ୍ଚ କରୁଥିବା ସମୟରେ ସନ୍ଦେହରେ ଏକ ସ୍କ୍ରୋର୍ପିଓ ଗାଡିକୁ ଅଟକାଇଥିଲେ। ଏହାପରେ ଗାଡିରୁ ୬ ବସ୍ତା ଗଞ୍ଜେଇ ଜବତ କରିଥିଲେ। ଏଥିରେ ସମ୍ପୃକ୍ତ ଚାରିଜଣ ଉତ୍ତରପ୍ରଦେଶ ରାଜ୍ୟର ବାରାନାୱା ଗ୍ରାମର ଇସ୍ତେକାର (୨୬), ଖାଲିଦ (୨୭), ଆଜିତ ରାଣା (୨୮) ଓ ଏମଭି- ୧୧ ଗ୍ରାମର ହରିଦାସ ବିଶ୍ୱାସ (୩୫)ଙ୍କୁ ପୁସିସ ଗିରଫ କରିିଥିଲା। ଏଥିସହ ପୁଲିସ ସେମାନଙ୍କ ନିକଟରୁ ୪ ଟି ମୋବାଇଲ୍, ନଗଦ ୧ ଲକ୍ଷ ୫୫ ହଜାର ୯୪୫ ଟଙ୍କା, ଚାରୋଟି ଡ୍ରାଇଭିଙ୍ଗ ଲାଇସେନ୍ସ, ତିନୋଟି ଆଧାର କାର୍ଡ, ଗୋଟିଏ ଭୋଟର କାର୍ଡ, ଚାରୋଟି ଏଟିଏମ୍ କାର୍ଡ, ଗୋଟିଏ ପାନ୍ କାର୍ଡ ଜବତ କରିଛି। ମାଲକାନଗିରି ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ପ୍ରହଲ୍ଲାଦ ସହାଇ ମୀନା ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ହେବ ବୋଲି ଜଣାପଡ଼ିଛି।