୧୨ ଶହ ବୋତଲ କଫ ସିରଫ ଜବତ, ୫ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବେଆଇନ ଭାବରେ କଫ ସିରଫ (ୱିନସିରେକ୍ସ) ଚାଲାଣ କରୁଥିବା ଏକ ଗ୍ୟାଙ୍ଗକୁ ଝାରସୁଗୁଡ଼ା ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ ୧୨ଶହ ବୋତଲ କଫ ସିରଫ, ଚାଲାଣରେ ବ୍ୟବହୃତ ହେଉଥିବା ବୋଲେରୋ ଓ ୩ଟି ମୋବାଇଲ ଫୋନ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ଝାରସୁଗୁଡ଼ାର ଏସକେ ଅମଜାଦ(୩୭), ଅଙ୍କୁଶ ଭଗତ(୨୮), ଏମଡି ଗୁଲାମ ଅସରଫ(୨୯), ଭାରତ ସିଂ ଯାଦବ(୪୨), ସମ୍ବଲପୁରର ଅମିତ ସାହୁ(୨୯) ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି।

ମିଳିଥିବା ରିପୋର୍ଟ ମୁତାବିକ, ଗତକାଲି ସଂଧ୍ୟା ୫ଟାରେ ଝାରସୁଗୁଡ଼ା ପୁଲିସ ପକ୍ଷରୁ ଏସଆଇ ଏସଏସ ଲୁଗୁନ ଓ ପୁଲିସ ଦଳ ବେହାରାମାଲରେ କୋଭିଡ ଏନଫୋର୍ସମେଣ୍ଟ ଡ୍ୟୁଟିରେ ଥିବାବେଳେ ଏକ ବୋଲେରୋରେ ୭ଜଣ ସମ୍ବଲପୁର ପଟକୁ ଯାଉଥିଲେ। ପୁଲିସ ପକ୍ଷରୁ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ସମୟରେ ୧୦ଟି ବଡ଼ ବଡ଼ ପ୍ୟାକେଟ ମିଳିଥିଲା। ପ୍ୟାକେଟଟି ପୁଲିସ ହାତରେ ଧରାପଡ଼ିବା ପରେ ୨ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ୫ ଜଣକୁ ପୁଲିସ କାବୁ କରି ନେଇଥିଲା। ପରେ ପ୍ୟାକେଟ ଯାଞ୍ଚ କରିବାରୁ ପ୍ରତ୍ୟେକ ପ୍ୟାକେଟରୁ ୧୨୦ ବୋତଲ ଅର୍ଥାତ୍ ମୋଟ ୧୨ଶହ ବୋତଲ କଫ ସିରଫ ମିଳିଥିଲା। ଏହି କଫ ସିରଫଗୁଡ଼ିକ ବେନ୍ ହୋଇ ସାରିଥିବାବେଳେ ବେଆଇନ ଭାବରେ ନିଶା କାରବାର ପାଇଁ ସୁନ୍ଦରଗଡ଼ରୁ ସମ୍ବଲପୁରକୁ ଚାଲାଣ ହେଉଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ଫଳରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ମେଡିକାଲ କରାଇବା ପରେ କୋର୍ଟ ଚାଲାଣ କରିଛି। ଏହାସହ ଏହି ଘଟଣାର ମାଷ୍ଟରମାଇଣ୍ଡ ତଥା ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ସପ୍ଲାୟର ବିଷୟରେ ପୁଲିସ ତଥ୍ୟ ସଂଗ୍ରହ କରିସାରିଛି। ଏହାସହ କଫ ସିରଫ ଚାଲାଣ ଗ୍ୟାଙ୍ଗର ସମସ୍ତ ଅଭିଯୁକ୍ତକୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ଜିଲ୍ଲା ପୁଲିସ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଏବେ ପାର୍ବଣ ସମୟ ଚାଲିଥିବାରୁ ନିଶା କାରବାର ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେଣୁ ଜିଲ୍ଲା ପୁଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯିବା ସହ ବେଆଇନ ନିଶା ଦ୍ରବ୍ୟ ଚାଲାଣ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯିବ ବୋଲି ଶ୍ରୀ ଦାସ କହିଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ଝାରସୁଗଡ଼ା ତଥା ସମ୍ବଲପୁର ଥାନାରେ ଏକାଧିକ ମାମଲା ରହିଛି।