ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ୧୧,୭୧୦ ସ୍କୁଲ ଅନ୍ଧାରରେ ରହିଛି । ଯେଉଁଠିକି ବିଦ୍ୟୁତ ସଂଯୋଗ ହୋଇନାହିଁ । ଏନେଇ ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉତ୍ତର ରଖିଛନ୍ତି ।
ବିଜେପି ବିଧାୟକ ମୋହନ ମାଝୀ ରାଜ୍ୟରେ ଥିବା ସ୍କୁଲର ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଥିଲେ । ରାଜ୍ୟରେ କେତେ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ, କେତେ ସ୍ମାର୍ଟ ଶ୍ରେଣୀଗୃହ, କେତେ ବ୍ୟବହାରଯୋଗ୍ୟ ଶୌଚାଳୟ, ପାନୀୟ ଜଳ ସୁବିଧା, ବିଦୁତ ସଂଯୋଗ, ଖେଳ ପଡ଼ିଆ ଓ ଛାତ୍ରଛାତ୍ରୀଙ୍କ ଅନୁପାତରେ କେତେ ଶିକ୍ଷକ ନିଯୁକ୍ତି ହୋଇଛି ସେନେଇ ଗୃହରେ ଉତ୍ତର ଜାଣିବାକୁ ଚାହିଁଥିଲେ । ଏହାର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ଗତ ୮ ବର୍ଷରେ ପ୍ରାଥମିକ ଓ ଉଚ୍ଚସ୍ତର ପାଇଁ ସମୁଦାୟ ୧୯,୪୯୦ ଜଣ ଶିକ୍ଷାସହାୟକ ନିୟୋଜିତ ହୋଇଛନ୍ତି । ସେହିପରି ୧୧,୭୧୦ ସ୍କୁଲରେ ବିଦ୍ୟୁତ୍ ସଂଯୋଗ ନଥିବାବେଳେ ୨୧,୦୬୫ ସ୍କୁଲରେ ଖେଳ ପଡ଼ିଆ ନାହିଁ ଓ ୪୧,୯୯୬ ସ୍କୁଲରେ କମ୍ପ୍ୟୁଟର ନାହିଁ । ୬,୭୮୧ ସ୍କୁଲରେ ଆବଶ୍ୟକୀୟ କ୍ଲାସରୁମ ନଥିବାବେଳେ ୬,୦୧୧ ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି । ଚଳିତ ଶିକ୍ଷା ବର୍ଷରେ ଡ୍ରପଆଉଟ ହାର ପ୍ରାଥମିକସ୍ତରରେ ଶୂନ ଥିବାବେଳେ ଉଚ୍ଚ ପ୍ରାଥମିକ ସ୍ତରରେ ୭.୩୪ ଏବଂ ମାଧ୍ୟମିକ ସ୍ତରରେ ୨୭.୨୬ ରହିଛି ।