ନୟାଗଡ଼,ଏନ୍ଏନ୍ଏସ୍ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧୂଷିତ ଦୁଡା ପଂଚାୟତର ଜୁରାଗଣ୍ଡା ଗ୍ରାମନକୁ ଜଣେ ପ୍ରସୂତି ମହିଳାଙ୍କୁ ଆଣିବାକୁ ଯାଇ କାଦୁଅରେ ଫସିଛି ୧୦୮ ଆମ୍ବୁଲାନ୍ସ । ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ଏକ ଟ୍ରାକ୍ଟର ଯୋଗେ ଆମ୍ବୁଲାନ୍ସକୁ ଭିଡ଼ା ହୋଇ ଉଦ୍ଧାର କରାଯାଇଛି । ଫଳରେ ଦୀର୍ଘ ସମୟ ବିଳମ୍ବରେ ପ୍ରସୂତିଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚାଇବାରେ ସକ୍ଷମ ହୋଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ ।
ସୂଚନାନୁସାରେ, ଗୁରୁବାର ଦୁଡ଼ା ପଂଚାୟତ ଜୁରାଗଣ୍ଡା ଗ୍ରାମର ହିମାଂଶୁ ଶେଖର ଜାନୀଙ୍କ ପତ୍ନୀ ସୁମତୀ ମଲ୍ଲିକ ପ୍ରସବ ଯନ୍ତ୍ରଣା ପାଇଥିଲେ । ବହୁ ଚେଷ୍ଟା ପରେ ୧୦୮ ସହ ଯୋଗାଯୋଗ ହୋଇଥିଲା । ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ଖବର ପାଇ ବାଣିଗୋଛା ସ୍ୱାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସ ମହିଳାଙ୍କୁ ଡାକ୍ତରଖାନା ଆଣିବାକୁ ଯାଇଥିଲା । ଗୁରାହା ଠାରୁ ସୁନ୍ଦୁରୁକୁମ୍ପା ରାସ୍ତାରେ ଯିବା ସମୟରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ବାଇଝରୀ ଘାଟିରେ ନିର୍ମାଣ ଧିନ ରାସ୍ତା ହେତୁ କାଦୁଅ ହୋଇଯାଇଥିଲା । ଫଳରେ ଆମ୍ବୁଲାନ୍ସଟି ଆଗକୁ ଯାଇ ନପାଇ ସେଠାରେ ଅଟକି ରହିଥିଲା ।
ପରେ ଗ୍ରାମବାସୀ ମାନେ ସେଠାରେ ପହଁଚି ଏକ ଟ୍ରାକ୍ଟର ଯୋଗେ ଆମ୍ବୁଲାନ୍ସକୁ ପ୍ରାୟ ୧ କିମି ପର୍ୟ୍ୟନ୍ତ ଟାଣିଟାଣି ନେଇଥିଲେ । ଏହାପରେ ଆମ୍ବୁଲାନ୍ସଟି ଗ୍ରାମରେ ପହଁଚି ସୁମତୀଙ୍କୁ ଉଦ୍ଧାର କରିବା ସହ ଅନ୍ୟ ଏକ ରାସ୍ତା ଦେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚାଇବାରେ ସକ୍ଷମ ହୋଇଥିଲା । ପରେ ସୁମତୀ ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ସୁରକ୍ଷିତ ଭାବେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଜଣାପଡ଼ିଛି । ଏଭଳି ପରିସ୍ଥିତିକୁ ନେଇ ଆଦିବାସୀଙ୍କ ପାଇଁ କେବଳ ଭଗବାନ ଭରସା ବୋଲି ମତ ପ୍ରକାଶ ପାଇଛି ।