ହାଇଦ୍ରାବାଦ ଗାନ୍ଧୀ ହସ୍ପିଟାଲକୁ ୧୦୦ ଅକ୍ସିଜେନ ସିଲିଣ୍ଡର ଯୋଗାଇଲା ଡିଆରଡିଓ

ହାଇଦ୍ରାବାଦ,ଏଜେନ୍ସି: ତେଲେଙ୍ଗାନା ସରକାରଙ୍କ ଦ୍ୱାରା ପରିଚାଳିତ ସରକାରୀ ଗାନ୍ଧୀ ହସ୍ପିଟାଲକୁ ୧୦୦ ମେଡିକାଲ ଅକ୍ସିଜେନ ସିଲିଣ୍ଡର ଯୋଗାଇଛି ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ)। କେନ୍ଦ୍ର ଗୃହମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କ ଅନୁରୋଧ କ୍ରମେ ସ୍ୱଳ୍ପ ସମୟ ଭିତରେ ଡିଆରଡିଓ ଏହି ସିଲିଣ୍ଡର ଯୋଗାଇଛି।

ରେଡ୍ଡୀଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ସିକନ୍ଦରାବାଦରେ ଗାନ୍ଧୀ ହସ୍ପିଟାଲଟି ଅବସ୍ଥିତ। ଡିଆରଡିଓ ଅଧିକାରୀ, ତେଲେଙ୍ଗାନା ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଡାକ୍ତରଖାନା ଅଧୀକ୍ଷକଙ୍କୁ ଅକ୍ସିଜେନ ସିଲିଣ୍ଡର ହସ୍ତାନ୍ତର କରାଯାଇଛି। ଡିଆରଡିଓ ପକ୍ଷରୁ ୧୦୦ ଅକ୍ସିଜେନ ସିଲିଣ୍ଡର ହସ୍ପିଟାଲକୁ ଯୋଗାଇ ଦିଆଯିବାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଧନ୍ୟବାଦ ଦେଇଛନ୍ତି କିଶନ ରେଡ୍ଡୀ।

ଅଳ୍ପ ସମୟ ଭିତରେ ଡିଆରଡିଓ ୧୦୦ଟି ଅକ୍ସିଜେନ ସିଲିଣ୍ଡର ଯୋଗାଇଥିବାରୁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ ବୋଲି ଟୁଇଟ କରି କହିଛନ୍ତି କିଶନ ରେଡ୍ଡୀ। ଅନ୍ୟ ଏକ ଟୁଇଟରେ ରାଜ୍ୟ ମନ୍ତ୍ରୀ କହିଛନ୍ତି ଯେ, କୋଭିଡ -୧୯ ରୋଗୀଙ୍କ ପାଇଁ ଉପଲବ୍ଧତା ନେଇ ତେଲେଙ୍ଗାନାରେ ରେମଡେସିଭିର ଆବଣ୍ଟନକୁ ଯଥେଷ୍ଟ ବୃଦ୍ଧି କରାଯାଇଛି। ଏପ୍ରିଲ ୨୧ ରୁ ମେ ୯ ପର୍ଯ୍ୟନ୍ତ ତେଲେଙ୍ଗାନାକୁ ୯୩,୮୦୦ ରେମଡେସିଭର ଆବଣ୍ଟନ କରାଯାଇଛି।