୧୦% ବଢିଲା ଅଶୋଧିତ ପେଟ୍ରୋଲିୟମ ମୂଲ୍ୟ

ୱାଶିଂଟନ,୧୬ା୯/ଏଜେନ୍ସି: ସାଉଦି ଆରବର ବୃହତ୍‌ ପେଟ୍ରୋଲିୟମ ଉତ୍ପାଦନକାରୀ କମ୍ପାନୀ ଆରମକୋ ପ୍ଲାଣ୍ଟ ଉପରେ ଶନିବାର ହୋଇଥିବା ଡ୍ରୋନ୍ ଆକ୍ରମଣ ପରେ ଏବେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ପେଟ୍ରୋଲ୍ରିମ ମୂଲ୍ୟ ବୃଦ୍ଧି ପାଇଛି। ସୋମବାର ନ୍ୟୁୟର୍କସ୍ଥିତ ମର୍ସାଟାଇଲ ଏକ୍ସଚେଞ୍ଜରେ ହୋଇଥିବା କାରବାରରେବ୍ୟାରେଲ ପିଛା ପେଟ୍ରୋଲିୟମ ମୂଲ୍ୟ ୧୦.୨ ପ୍ରତିଶତ ବୃଦ୍ଧି ପାଇଛି। ଫଳରେ ବ୍ୟାରେଲ ପିଛା

ମୂଲ୍ୟ ଏବେ ୬୦.୪୬ ଡଲାରରେ ପହଞ୍ଚଥିବା ବେଳେ ଆନ୍ତର୍ଜାତୀୟମାନର ଅଶୋଧିତ ତୈଳ ବ୍ରେଣ୍ଟ୍ କ୍ରୁଡ୍ ଅଏଲ ମୂଲ୍ୟ ମଧ୍ୟ ୧୩ ପ୍ରତିଶତ ବୃଦ୍ଧିରେବ୍ୟାରେଲ ପିଛା ମୂଲ୍ୟ ୬୮.୦୬ ଡଲାରରେ ପହଞ୍ଚିଥିବା ଜଣାପଡ଼ିଛି। ଅଗାମୀ ଦିନରେ ସାଉଦି ଆରବରୁ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ପେଟ୍ରୋଲିୟମ ରପ୍ତାନି ପ୍ରକ୍ରିୟା ଯଦି ସ୍ୱାଭାବିକ ନରୁହେ ତେବେ ଆନ୍ତର୍ଜାତିକସ୍ତରରେ ପେଟ୍ରୋଲିୟମ ମୂଲ୍ୟ ଆହୁରି ବୃଦ୍ଧି ପାଇବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବନି ବୋଲି ଏବେ ଆନ୍ତର୍ଜାତିକ ମହଲରେ ଆଶଙ୍କା ପ୍ରକଟ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ ଶନିବାର ସାଉଦି ଆରବର ସର୍ବବୃହତ ପେଟ୍ରୋଲିୟମ ପ୍ରୋସେସିଂ ପ୍ଲାଣ୍ଟ ଆରମକୋ ଉପରେ ଡ୍ରୋନ୍ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପାଇଁ ୟେମେନ୍ର ହାଉଥି ବିଦ୍ରୋହୀ ନିଜକୁ ଦାୟୀ କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ପ୍ଲାଣ୍ଟର ମାତ୍ରାଧିକ କ୍ଷତି ଘଟିଥିଲା। ବିଶ୍ୱର ସର୍ବବୃହତ ପେଟ୍ରୋଲିୟମ ଯୋଗାଣକାରୀ ରାଷ୍ଟ୍ର ଭାବେ ସାଉଦି ଆରବ ଏସିଆ ମହାଦେଶ ସମେତ ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ଏବଂ ଆମରେିକାକୁ ବିପୁଳ ପରିମାଣରେ ପେଟ୍ରୋଲିୟମ ଯୋଗାଇଥାଏ।

ସମଗ୍ର ବିଶ୍ୱରେ ଦୈନିକ ଖର୍ଚ୍ଚ ହେଉଥିବା ପେଟ୍ରୋଲିୟମ ମଧ୍ୟରୁ ସାଉଦି ଆରବ ୫୫ ପ୍ରତିଶତ ଯୋଗାଇଥାଏ। ତେବେ ଦୈନିକ ସାଉଦି ଆରବରୁ ଯେତିକି ପରିମାଣରେ ତୈଳ ବିଦେଶକୁ ରପ୍ତାନି ହୋଇଥାଏ ତାହାର ଶତକଡ଼ା ୫୦ ଭାଗ ଭାବେ ପ୍ରାୟ ୫.୭ ନିୟୁତ ବ୍ୟାରେଲ୍‌ ତୈଳ କେବଳ ଆରମକୋ ପ୍ଲାଣ୍ଟରୁ ଉତ୍ପାଦନ କରାଯାଇଥାଏ। କିନ୍ତୁ ସାଂପ୍ରତିକ ସ୍ଥିତିରେ ସାଉଦି ଆରବର ମୋଟ ଦୈନିକ ତୈଳ ଉତ୍ପାଦନର ୫୦ ଭାଗ ହ୍ରାସ ପାଇଥିବା ବେଳେ ଆନ୍ତର୍ଜାତିକସ୍ତରରେ ପେଟ୍ରୋଲିୟମ ଯୋଗାଣ ଏବଂ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଚିନ୍ତା ବଢିଯାଇଛି ବୋଲି ଆନ୍ତର୍ଜାତିକସ୍ତରରେ ବିଶେଷଜ୍ଞମାନେ କହିଛନ୍ତି। କାରଣଆରାମକୋ ପ୍ଲାଣ୍ଟ କ୍ଷତିଗ୍ରସ୍ତ ହୋଇଥିବାରୁ ଆଗାମୀ ଦିନରେ ତୈଳ ଯୋଗାଣର ସ୍ବାଭାବିକତାକୁ ନେଇ ପ୍ରଶ୍ନ ଉଠିଛି। ଫଳରେ ବିଶ୍ୱର ଗଚ୍ଛିତ ତୈଳ ଭଣ୍ଡାର ସ୍ଥିତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ବୋଲି ସେମାନେ କହିଛନ୍ତି। ବର୍ତ୍ତମାନ ବିଶ୍ୱର ଧନଶାଳୀ ରାଷ୍ଟ୍ରମାନଙ୍କ  ନିକଟରେ ବର୍ତ୍ତମାନ ପ୍ରାୟ ୨୦ କୋଟି ବ୍ୟାରେଲ୍‌ ତୈଳ ଗଚ୍ଛିତ ରହିଥିଲେ ହେଁ ଦୈନିକ ତୈଳ ଯୋଗାଣ ପ୍ରକ୍ରିୟା ବାଧାପ୍ରାପ୍ତ ହେଲେ ଏଥିପାଇଁ ଚିନ୍ତାଜନକ ସ୍ଥିତି ଉପୁଜିପାରେ ବୋଲି ସେମାନେ କହିଛନ୍ତି।