ଜୟପୁର,ଏନ୍ଏନ୍ଏସ୍: ଜୟପୁର ସଦର ଥାନା ପୁଲିସ ଏକ ଚୋରି ମାମଲାରେ ୫ଜଣ ନାବାଳକଙ୍କ ସମେତ ୧୦ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ରିପୋର୍ଟ ମୁତାବକ, ୨୦ତାରିଖ ରାତିରେ ସଦର ଥାନା ତେଲିଗୁଡ଼ା ଗ୍ରାମର ଦବେଦାସି ଭଞ୍ଜଦେଓଙ୍କ ତେଜରାତି ଦୋକାନରୁ ୧ଲକ୍ଷ ୨୦ ହଜାର ନଗଦ ଟଙ୍କା, ୧୦ଟି ନୂଆ ଓ ୧୫ଟି ପୁରୁଣା ମୋବାଇଲ୍ ଫୋନ୍ ସହ ପ୍ରାୟ ୮ଲକ୍ଷ ଟଙ୍କାର ଜିନିଷ ଚୋରି ହୋଇଥିଲା। ଦୋକାନ ମାଲିକଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ କୌଣସି ସୂତ୍ରରୁ ଖବର ପାଇ ଜୟପୁର ଟାଉନ୍ ଥାନା ଇରିଗେସନ୍ କଲୋନୀର ରମେଶ ଖରା(୧୯), ଜମୁନାଗୁଡ଼ାର ଶଙ୍କର ଖରା(୧୯), କୋରାପୁଟ ସଲଦର ଥାନା ମୁଞ୍ଜାଗ ଗ୍ରାମର କର୍ଣ ମୁଦୁଲି(୧୯), ଜୟପୁର ଟାଉନ୍ ଥାନା ପାରାବେଡ଼ାର ସୂର୍ଯ୍ୟ ବିଷୋୟୀ(୪୨) ଓ ଡଙ୍ଗାଗୁଡ଼ାର ରାହୁଳ ମାଛ(୨୧) ସମେତ ଅନ୍ୟ ୫ଜଣ ନାବାଳକକୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୁଲିସ୍ ୫ଲକ୍ଷ ଟଙ୍କାର ରାସନ୍ ସାମଗ୍ରୀ,୧୪ଟି ନୂଆ ଓ ୧୫ଟି ପୁରୁଣା ମୋବାଇଲ୍ ଫୋନ୍,୨ଟି ଲାପଟପ୍, ଗୋଟିଏ ସାମସଙ୍ଗ ଏଲଇଡି ଟିଭି ଓ ଏକ ଟିଭିଏସ୍ ମୋପେଡ୍ ଜବତ କରିଛି।