ଉପଜିଲ୍ଲାପାଳ କାଟିଲେ ଅତିରିକ୍ତ ତହସିଲଦାର ଓ ଅନ୍ୟ ତହସିଲ କର୍ମଚାରୀଙ୍କ ବେତନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ଉପଜିଲ୍ଲାପାଳ ଶିବ ଟପ୍ପୋ ଗୁରୁବାର ଲଖନପୁର ତହସିଲ କାର୍ଯ୍ୟାଳୟକୁ ହଠାତ ପରିଦର୍ଶନ କରି ଅତିରିକ୍ତ ତହସିଲଦାର ମୁରଳିଧର ଉର୍ମାଳ ଓ ଅନ୍ୟ ୧୫ଜଣ ତହସିଲ କର୍ମଚାରୀଙ୍କ ଗୋଟିଏ ଦିନର ପାଉଣା କାଟ କରିଛନ୍ତି। ଏହାସହ ତହସିଲଦାର ଜ୍ୟୋତ୍ସାରାଣୀ ସାହୁଙ୍କୁ ବିଳମ୍ବରେ ଆସିଥିବା ଯୋଗୁଁ କାରଣ ଦର୍ଶାଅ ନୋଟିସ ଦେଇଛନ୍ତି।

ସୂଚନା ଅନୁଯାୟୀ, ଗୁରୁବାର ସକାଳ ୧୦ଟା ୦୫ ମିନିଟରେ ଉପଜିଲ୍ଲାପାଳ ତହସିଲ ଅଫିକୁ ଆସିଥିବା ସମୟରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ଅନ୍ୟ ୧୫ ଜଣ ତହସିଲ କର୍ମଚାରୀମାନେ କାର୍ଯ୍ୟାଳୟକୁ ଆସି ନଥିଲେ। ତେଣୁ ଅତିରିକ୍ତ ତହସିଲଦାର ତଥା ଯେଉଁ କର୍ମଚାରୀମାନେ ଆଜି ଠିକ୍ ସମୟରେ କାର୍ଯ୍ୟାଳକୁ ଆସିନଥିଲେ ସେମାନଙ୍କର ଗୋଟିଏ ଦିନର ବେତନକୁ ଉପଜିଲ୍ଲାପାଳ କାଟ କରିଛନ୍ତି।

ରାଜ୍ୟସରକାର ୫ଟି ପ୍ରଣୟନ କରୁଥିବା ବେଳେ ସରକାରୀ କର୍ମଚାରୀମାନେ ୫ଟି ର ପ୍ରଥମ ନିୟମ ଟାଇମକୁ ଅମଲମ୍ବନ ନକରିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସ୍ଥାନୀୟ ଲୋକେ ମଧ୍ୟ ଉପଜିଲ୍ଲାପାଳଙ୍କ ଏହି ପଦକ୍ଷେପକୁ ପ୍ରଂଶାସା କରିଛନ୍ତି। ସେମାନେ କହିଛନ୍ତି ତହସିଲ କାର୍ଯ୍ୟାଳୟରେ ତହସିଲଦାର ତଥା ଅନ୍ୟ କର୍ମଚାରୀ ବିଳମ୍ବରେ ଆସିବା ଏକ ନିତିଦିନିଆ ଘଟଣା। ତେଣୁ ଉପଜିଲ୍ଲାପାଳଙ୍କ ହଠାତ ତହସିଲ ଅଫିସ ପରିଦର୍ଶନ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଅଟେ।

ଅନ୍ୟପଟେ ତହସିଲଦାର ଜ୍ୟୋତ୍ସାରାଣୀ ସାହୁଙ୍କୁ ଏହି ବିଷୟରେ ପଚାରିବାରୁ ସେ ଦରମା କାଟ ବିଷୟକୁ ଅସ୍ୱିକାର କରି କହିଛନ୍ତି ସେ ତଥା ସମସ୍ତ କର୍ମଚାରୀ ପ୍ରତିଦିନ ସମୟରେ ଅଫିସକୁ ଆସନ୍ତି। କୌଣସି ଅସୁବିଧା ବଶଃତ ଆଜି ସେ ସମୟରେ ଅଫିସ ଆସି ପାରି ନଥିଲେ।