ଚିଲିକା,ଏନ୍ଏନ୍ଏସ୍: ଚିଲିକାରେ ଆଜି ଦେଶୀ-ବିଦେଶୀ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି । ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଥିବା ୫ଟି ରେଞ୍ଜ ଟାଙ୍ଗୀ, ବାଲୁଗାଁ, ସାତପଡ଼ା, ନୂଆପଡ଼ା ଓ ରମ୍ଭା ରେଞ୍ଜରେ ସକାଳ ୬ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ପକ୍ଷୀ ଗଣନା ପାଇଁ ସର୍ବମୋଟ ୧୦୧ ଜଣଙ୍କୁ ସାମିଲ କରାଯାଇଛି । ଏଥିପାଇଁ ୨୧ଟି ଟିମ୍ ଗଠନ ହୋଇଛି । ପ୍ରତି ଟିମରେ ୪/୫ ଜଣ ଲଖାଏଁ ନିୟୋଜିତ ହୋଇଛନ୍ତି । ବାଇନାକୁଲର ସାହାଯ୍ୟରେ ପକ୍ଷୀ ଗଣନା କରାଯାଉଛି । ଜଳ ଭାଗରେ ୧୯ଟି ଟିମ୍ ଏବଂ ସ୍ଥଳ ଭାଗରେ ୨ଟି ଟିମ୍ ଚିଲିକାକୁ ଆସିଛନ୍ତି । ଟାଙ୍ଗୀ ଏବଂ ବାଲୁଗାଁ ରେଞ୍ଜ ଇଲାକାରେ ପକ୍ଷୀଙ୍କ ସମାଗମ ଅଧିକ ଥିବା ଯୋଗୁ ଅଧିକ ଗଣନାକାରୀ ଟିମ୍ ନିୟୋଜିତ କରାଯାଇଛି ।
ଚିଲିକାରେ ସମାଗମ ହୋଇଥିବା ଦେଶୀ-ବିଦେଶୀ ପକ୍ଷୀଙ୍କ ସଂଖ୍ୟା ଜାଣିବା ପାଇଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ବାଲୁଗାଁ ପକ୍ଷରୁ ଏହି ଗଣନା କାର୍ଯ୍ୟ କରାଯାଉଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହଯୋଗରେ ବିଭିନ୍ନ ସ୍ୱେଛାସେବୀ ସଂଗଠନ ଏହି ପକ୍ଷୀ ସୁରକ୍ଷା ବାହିନୀ, ପକ୍ଷୀ ବିଶେଷଜ୍ଞ ଓ ବମ୍ବେ ନ୍ୟାଚ୍ୟୁରାଲ୍ ହିଷ୍ଟ୍ରି ଅଫ୍ ସୋସାଇଟିର ବିଶେଷଜ୍ଞ ରିସର୍ଚ୍ଚ ପର୍ସନଙ୍କୁ ନେଇ ଗଣନା କରାଯାଉଛି । ଗଣନା କାର୍ଯ୍ୟରେ ପ୍ରତିବନ୍ଧକ ନ ଆସିବା ପାଇଁ ପର୍ଯ୍ୟଟକଙ୍କୁ କିଛି ସମୟ ଲାଗି ଚିଲିକା ପ୍ରବେଶ ଉପରେ ରୋକ ଲଗାଯାଇଛି ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗର ଏସିଏଫ୍ ପ୍ରଶାନ୍ତ କୁମାର ପଣ୍ଡା କହିଛନ୍ତି ।