କୋଭିଡ୍ ପ୍ରସଙ୍ଗରେ ମୋଦୀଙ୍କୁ ମନମୋହନଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ,ଏଜେନ୍ସି: କୋଭିଡ୍ ମହାମାରୀର ନିୟନ୍ତ୍ରଣ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପାଞ୍ଚ ସୂତ୍ରୀ ପ୍ରସ୍ତାବ ଦେଇଛନ୍ତି। ପ୍ରଥମେ ସରକାର ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କ ନିକଟରୁ କେତେ ସଂଖ୍ୟକ ଡୋଜ୍ କିଣିବାକୁ ବରାଦ କରିଛନ୍ତି, ତାହା ସାର୍ବଜନୀନ କରିବାକୁ ମନମୋହନ କହିଛନ୍ତି। ଦ୍ୱିତୀୟରେ ସରକାର ଏହି ଟିକାକୁ କିଭଳି ସ୍ୱଚ୍ଛ ଓ ନିରପେକ୍ଷ ଉପାୟରେ ରାଜ୍ୟଗୁଡିକ ମଧ୍ୟରେ ବଣ୍ଟନ କରିବେ, ତାହା ମଧ୍ୟ ଦେଶବାସୀ ଜାଣିବା ଆବଶ୍ୟକ। ତୃତୀୟରେ ଜରୁରୀ ବ୍ୟବହାର ପାଇଁ କେନ୍ଦ୍ର ସରକାର ୧୦ ପ୍ରତିଶତ ଟିକା ନିଜ ପାଖରେ ମହଜୁଦ ରଖି ଅବଶିଷ୍ଟ ଟିକା ରାଜ୍ୟଗୁଡିକୁ ପଠାଇବାକୁ ମନମୋହନ କହିଛନ୍ତି। ଚତୁର୍ଥରେ ଟିକା ନେବାକୁ ଯୋଗ୍ୟ ବିବେଚିତ ଆଗଧାଡିର କୋଭିଡ୍ ଯୋଦ୍ଧାଙ୍କ ସଂଜ୍ଞା ନିରୁପଣ କରିବାକୁ ରାଜ୍ୟ ସରକାରମାନଙ୍କୁ ସ୍ୱାଧୀନତା ଦିଆଯିବା ଉଚିତ ବୋଲି ସେ କହିଛନ୍ତି। ଶେଷରେ ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡିକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ମନମୋହନ ପ୍ରସ୍ତାବ ଦେଇଛନ୍ତି।