ପାଟଣା: କୃଷି ବିଲ ପ୍ରତ୍ୟାହାର ଦାବିରେ ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗାଠାରେ ନବ ନିର୍ମାଣ କୃଷକ ସଙ୍ଗଠନର ଚାଷୀ ରାସ୍ତାରୋକ କରିଛନ୍ତି। କୃଷି ବିଲ ଯଥାଶୀଘ୍ର ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ଜୋରଦାର ହେବ ବୋଲି ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସଂଯୋଜିକା ବିମଳା ମହାନ୍ତ କହିଛନ୍ତି । ସେହିପରି ନବ ନିର୍ମାଣ କୃଷକ ସଙ୍ଗଠନ ପାଟଣା ବ୍ଲକ ସଂଯୋଜକ ରାଜ ବଲ୍ଲଭ ମିଶ୍ର, ଜିଲ୍ଲା ସହ ସଂଯୋଜକ ଖଗେଶ୍ୱର ମହାନ୍ତ, କର୍ଣ୍ଣ ମହାନ୍ତ, ଲୀଳାବତୀ ମହାନ୍ତ, ତୁଳସୀ ମୁଣ୍ଡା ଓ ନେତ୍ରମଣି ମହାନ୍ତଙ୍କ ସମେତ ଶତାଧିକ ଚାଷୀ ଜାତୀୟ ରାଜପଥ ଉପରେ ବସି ଆନ୍ଦୋଳନ କରିଛନ୍ତି। ଅନ୍ୟପଟେ ଜାତୀୟ ରାଜପଥ ଅବରୋଧ ଯୋଗୁ ୪୯ ନମ୍ବର ଜାତୀୟ ରାଜପଥରେ ସହସ୍ରାଧିକ ଭାରିଯାନ ଏବଂ ଯାତ୍ରୀବାହୀ ବସ ଅଟକି ରହିଥିବାରୁ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଶାନ୍ତି ଶୃଙ୍ଖଳା ପାଇଁ ତୁରୁମୁଙ୍ଗା ଥାନା ଅଧିକାରୀ ସୁଶାନ୍ତ ମଣୀ ମହାନ୍ତି ସମେତ ପୁଲିସ କର୍ମଚାରୀ ଉପସ୍ଥିତ ଅଛନ୍ତି।