ଇସ୍ତଫା ଦେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲ!

ନୂଆଦିଲ୍ଲୀ,ଏଜେନ୍ସି: ଖୁବଶୀଘ୍ର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ନିଜ ପଦରୁ ଇସ୍ତଫା ଦେବେ। ସେ ଛତିଶଗଡ଼ର ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ୨୦୧୮ ମସିହା ଡିସେମ୍ବର ୧୭ ତାରିଖରେ ଶପଥ ଗ୍ରହଣ କରିଥିଲେ। ସେତେବେଳେ ଭୂପେଶଙ୍କ ସହ କଂଗ୍ରେସ ପକ୍ଷରୁ ଏକ ଅଢ଼େଇ ବର୍ଷିଆ ସର୍ତ୍ତ ରଖାଯାଇଥିଲା। ବର୍ତ୍ତମାନ ଉକ୍ତ ଅବଧି ପୂରଣ ହୋଇଯାଇଥିବାରୁ ଭୂପେଶ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି।

ଏନେଇ ଭୂପେଶ ମିଡିଆଙ୍କୁ କହିଛନ୍ତି ଯେ, ଯଦି ହାଇକମାଣ୍ଡ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ଚାହୁଁଥାନ୍ତି, ସେଥିପାଇଁ ସେ ପ୍ରସ୍ତୁତ ରହିଛନ୍ତି। ସେ ହାଇକମାଣ୍ଡଙ୍କ ଆଦେଶକୁ ସମ୍ମାନ ଦେଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଯଦି ଉପରମହଲରୁ ନିର୍ଦ୍ଦେଶ ଆସେ, ତେବେ ସେ ନିଜ ପଦରୁ ଅବ୍ୟାହତି ନେଇଯିବେ। ଏହି ଅବସରରେ ଭୂପେଶ ଦିଲ୍ଲୀର ୧୦ ଜନପଥରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହିତ ଆଲୋଚନା ନକରି ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।