ଆସନ୍ତା ୧୧ରେ କରୋନା କଟକଣା ମଧ୍ୟରେ ଶୁଲିଆ ଯାତ୍ରା

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ପ୍ରସିଦ୍ଧ ଶୁଲିଆ ଯାତ୍ରା ଆସନ୍ତା ଜାନୁଆରୀ ୧୧ ତାରିଖରେ ଅନୁଷ୍ଠିତ ହେବ। ସେଥିପାଇଁ ମିଳିତ ଶୁଲିଆ ମଞ୍ଚ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଦେଓଗାଁ ବ୍ଲକ କୁଲୁତାପଡ଼ା ପଞ୍ଚାୟତର ଶୁଲିଆ ଯାତ୍ରା ଖଳା ନିକଟ ବିଜାମୁଡ଼ା ଏମଆଇପିଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ୧୨ଟି ପଞ୍ଚାୟତ ଅନ୍ତର୍ଗତ ୬୩ଟି ଗାଁର ଲୋକେ ଯୋଗଦେଇ ନିଜ ନିଜ ମତାମତ ଦେଇଥିଲେ। ମିଳିତ ମଞ୍ଚ ସଭାପତି ଆଦିବାସୀ ନେତା ମୟ ପ୍ରଧାନୀ ଯାତ୍ରା ବିଷୟରେ ସବିଶେଷ ସୂଚନା ଦେଇଥିଲେ। କୋଭିଡ କଟକଣା ଭିତରେ ଯାତ୍ରା ଆୟୋଜିତ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ ହେବାସହ ଦୋକାନ ବଜାର ବସିବା ଉପରେ ପ୍ରଶାସନ ନିଷ୍ପତ୍ତି ନେବ ବୋଲି କେନ୍ଦ୍ରୀୟ ସଭାପତି ଚିନ୍ତାମଣି ଭୋଇ କହିଛନ୍ତି। ଅନ୍ୟପଟେ ପାରମ୍ପରିକ ରୀତିନୀତିରେ ବଳି ପଡ଼ିବ ବୋଲି ବଡ଼ଖଳାର ଦେହେରୀ ସୋମନାଥ ଦେହେରିଆ କହିଛନ୍ତି।