ଅଚିହ୍ନା ଦୁର୍ବୁତ୍ତଙ୍କ ଟାଙ୍ଗିଆ ଚୋଟରେ ଜଣେ ମୃତ, ୪ ଅଟକ

ଦେବଗଡ଼,ଏନ୍‌ଏନ୍‌ଏସ୍ : ଦେବଗଡ଼ ଥାନା ବସାଲୋଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ କାଲକାଠ ଗ୍ରାମ କିସାନ ସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତକ ଜଣକ ହେଲେ କିସାନ ସାହିର ହୃଦାନନ୍ଦ କିସାନ । ଗତକାଲି ରାତିରେ ହତ୍ୟାକାଣ୍ଡ ଘଟିଥିବାବେଳେ ଘର ଭିତରେ ମୃତଦେହ ପଡ଼ିଥିବାରୁ ପରିବାର ଲୋକଙ୍କ ସମ୍ପୃକ୍ତି ସନ୍ଦେହରେ ମୃତକଙ୍କ ସ୍ତ୍ରୀ ଉପାସି, ସାନ ପୁଅ ପିଣ୍ଟୁ ସମେତ ୫ଜଣକୁ ଦେବଗଡ଼ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି । ମୃତକ ହୃଦାନନ୍ଦଙ୍କ ପୁଅ ମିଟୁ କିସାନଙ୍କ ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଏକ ହତ୍ୟାକାଣ୍ଡ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ଏଥିରେ ବ୍ୟବହୃତ ଟାଙ୍ଗିଆ ଜବତ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛ । ଏସପି ପ୍ରମୋଦ କୁମାର ରଥ, ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଓ ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପରେ ହତ୍ୟାକାଣ୍ଡର କାରଣ ଓ ଅଭିଯୁକ୍ତଙ୍କ ସମ୍ପର୍କରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଏସପି ଶ୍ରୀ ରଥ ସୂଚନା ଦେଇଛନ୍ତି ।