ଆଇଗିଣିଆ ଛକରେ ଯୁବକଙ୍କୁ ହାଣିଲେ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଖଣ୍ଡଗିରି ଥାନା ଆଇଗିଣିଆ ଛକରେ ଅସ୍ତ୍ରଶସ୍ତ୍ରଧାରୀ ଯୁବକଙ୍କ ଆତଙ୍କରାଜ। ଜାତୀୟ ରାଜପଥ ଉପରେ ଗୁଳିମାଡ କରିବା ସହ ଯୁବକଙ୍କୁ ଖଣ୍ଡା ଓ ଭୁଜାଲିରେ ହାଣି ରକ୍ତାକ୍ତ କରିଦେଇଛନ୍ତି। ଯୁବକଙ୍କ ଆକ୍ରମଣରେ ଆଇଗିଣିଆର ବିମ୍ବାଧର ସୁନ୍ଦରାୟ(୪୫) ଗୁରୁତର ଆହତ ହୋଇଥିବା ବେଳେ ଏହା ନେଇ ସେଠାରେ ଉତ୍ତେଜନା ଲାଗି ରହିଛି। ପୁଲିସ ଆହତଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ରବିବାର ସକାଳେ ଆଇଗିଣିଆର ବିମ୍ବାଧର ସୁନ୍ଦରାୟଙ୍କ ପୁତୁରା ଲକି ତମାଣ୍ଡୋରେ ଥିବା ଜିମ ସେଣ୍ଟରଙ୍କୁ ଯାଇଥିଲା। ସେଠାରେ ସିଜୁଆର ଡମ୍ବରୁ ସହିତ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏ ନେଇ ସେ ଘରେ ଜଣାଇବା ପରେ ବିମ୍ବାଧର ତମାଣ୍ଡୋ ଥାନାରେ ଏତଲା ଦେଇଥିଲେ।

ଅପରାହ୍ଣ ପ୍ରାୟ ୨ଟା ବେଳେ ଆଇଗିଣିଆ ଦୁର୍ଗମଣ୍ଡପ ନିକଟରେ ଥିବା କ୍ଲବରେ ବିମ୍ବାଧର ବସିଥିଲେ। ଏହି ସମୟରେ ସିଜୁଆର ୨୫ରୁ ଊଦ୍ଧ୍ୱର୍ ପିଲା ହାତରେ ଖଣ୍ଡା, ଭୁଜାଲି ଓ ବନ୍ଧୁକ ଆଦି ମାରଣାସ୍ତ୍ର ଧରି ସେଠାରେ ପହଞ୍ଚି ଆତଙ୍କ ଖେଳାଇଥିଲେ। ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଲକିକୁ ଖୋଜିଥିଲେ। ଏପରିକି କ୍ଲବରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ବିମ୍ବାଧର ପ୍ରତିବାଦ କରିବାରୁ ସେମାନଙ୍କୁ ଆକ୍ରମଣ କରିବା ସହ ଗୁଳିମାଡ କରିଥିଲେ। ସୌଭାଗ୍ୟ ବଶତଃ ଗୁଳିଟି ତାଙ୍କ ମୋବାଇଲରେ ବାଜିବାରୁ ତାହା ବିସ୍ଫୋରଣ ହୋଇଥିଲେ ମଧ ତାଙ୍କ ଦେହରେ ଗୁଳି ବାଜିନଥିଲା। ପରେ ସେମାନେ ତାଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ। ଖବରପାଇ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ କରୁଛି।