ଏକାମ୍ର ବିକାଶ ମଞ୍ଚର ମହିଳା ଦିବସ, ମହିଳାଙ୍କୁ ସ୍ୱୟଂସିଦ୍ଧା ସମ୍ମାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏକାମ୍ର ବିକାଶ ମଞ୍ଚ ପକ୍ଷରୁ ସିଦ୍ଧି ମଣ୍ଡପଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ମଞ୍ଚର ସଭାପତି ରଶ୍ମୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜନୀତି, ସମାଜସେବା, ଶିକ୍ଷା ଓ ଆତ୍ମନିର୍ଭରଶୀଳ ହୋଇଥିବା ୪ଜଣ ପ୍ରତିଷ୍ଠିତ ମହିଳାଙ୍କୁ ସ୍ୱୟଂସିଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା। ରାଜ୍ୟ ବିଜେପିର ପୂର୍ବତନ ମହିଳା ମୋର୍ଚ୍ଚା ସଭାପତି ଶ୍ରୀମନ୍ତିନୀ ଜେନା, ସାମ୍ବାଦିକ ମଧୁଳିତା ପରିଡ଼ା, ସାମାଜସେବୀ ସୁଷମା ପଟ୍ଟନାୟକ, ମହର୍ଷି ମହିଳା କଲେଜର ଅଧ୍ୟାପିକା ପ୍ରତିମା ମିଶ୍ର, ଆତ୍ମନିର୍ଭରଶୀଳ ପାଇଁ ସିପ୍ରା ସେନାପତିଙ୍କୁ ସ୍ୱୟଂସିଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ପୁରୀ ଜିଲ୍ଲାର ପ୍ରତ୍ୟାଶା ଓ ଭୁବନେଶ୍ୱରର କମଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏଥିରେ ଅତିଥି ଭାବେ ନାରିନେତ୍ରୀ ଶ୍ରୀମନ୍ତିନି ଜେନା, ସମାଜସେବୀ ରେଣୁବାଳା ବୈରିଶାଲ, ୟୁରୋ ସ୍ମାର୍ଟର ଅଧ୍ୟକ୍ଷା ସସ୍ମିତା ମହାପାତ୍ର, ରାଜ୍ୟ ମହିଳା କଂଗ୍ରେସର ସମ୍ପାଦିକା କୁସୁମ ପ୍ରଧାନ, ଶ୍ରେୟାସ୍ମିତା ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ସସ୍ମିତା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମାଜସେବୀ ସୋନାଲି ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ କରୋନା ଭାଇରସ ସମ୍ପର୍କରେ ସଚେତନତା କରାଯାଇଥିଲା।