ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ କରୋନା ମହାମାରୀ ମଧ୍ୟରେ ସରକାରୀ କର୍ମଚାରୀଙ୍କ ଅନେକ ୟୁନିୟମ ନିଜ ଦାବିକୁ ପୂରଣ କରିବା ପାଇଁ ହଡ଼ତାଳ କରିବାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୃଢ଼ ପଦକ୍ଷେପ ନେବାକୁ ଯାଇ ପ୍ରଦେଶରେ ଏସ୍ମା ଆଇନ ଲାଗୁ କରିଛନ୍ତି। ୟୁପି ସରକାରଙ୍କ ଅଧୀନରେ ଥିବା ଲୋକସେବା, ପ୍ରାଧୀକରଣ, ନିଗମ ସମେତ ସମସ୍ତ ସରକାରୀ ବିଭାଗ ଉପରେ ଏହି ଆଦେଶ ଲାଗୁ ହେବ।
ସୂଚନାଯୋଗ୍ୟ, ସରକାର ୬ ମାସ ପର୍ଯ୍ୟନ୍ତ ଏସ୍ମା ଆଇନ ଲାଗୁ କରିଛନ୍ତି। ଆବଶ୍ୟକ ପଡ଼ିଲେ ଏହାକୁ ଆହୁରି ଆଗକୁ ବଢ଼ାଯିବ। ଏଥିସହିତ ସ୍ଥିତିରେ ସୁଧାର ଆସିଲେ ୬ ମାସ ପୂର୍ବରୁ ଫେରାଇ ମଧ୍ୟ ନିଆଯାଇପାରେ। ଏହି ଆଇନ ଲାଗୁ ହେବା ଦ୍ୱାରା ରାଜ୍ୟରେ ଆବଶ୍ୟକ ସେବା ସହ ଜଡ଼ିତ କର୍ମଚାର ଛୁଟି ଓ ହଡ଼ତାଳରେ ଯାଇପାରିବେ ନାହିଁ। ସମସ୍ତ ଅତି ଆବଶ୍ୟକ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଭାବେ ସରକାରଙ୍କ ଆଦେଶକୁ ମାନିବାକୁ ପଡ଼ିବ। ଆଉ ଯଦି କେହି କର୍ମଚାରୀ ସରକାରଙ୍କ ଆଦେଶକୁ ଅବମାନନା କରନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।