ନୂଆଦିଲ୍ଲୀ,ଏଜେନ୍ସି: ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜନ୍ମ ବାର୍ଷିକୀ ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ବାପୁଙ୍କୁ ସ୍ମରଣ କରାଯିବା ସହିତ ଲେହରେ ବିଶ୍ୱର ସର୍ବବୃହତ ଖଦୀ ଜାତୀୟ ପତାକା ଲଗାଯାଇଛି। ଲଦାଖ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଆର.କେ ମାଥୁର ଶନିବାର କେନ୍ଦ୍ର ଶାସିତ ଅଞ୍ଚଳରେ ଖଦୀ କପଡ଼ାରେ ନିର୍ମିତ ସବୁଠାରୁ ବଡ଼ ତ୍ରିରଙ୍ଗାକୁ ଉନ୍ମୋଚନ କରିଛନ୍ତି। ଏହି ସମୟରେ ସେନା ମୁଖ୍ୟ ଜେନେରାଲ ଏମ.ଏମ ନରବଣେ ମଧ୍ୟ ଉପସ୍ଥିତ ଥିଲେ।
ଲଦାଖର ୟୁନିଅନ୍ ଟେରିଟୋରୀର ରାଜଧାନୀ ଲେହର ଜନସ୍କାର ପାହାଡ ଉପରେ ଏହି ତ୍ରିରଙ୍ଗା ଲଗାଯାଇଛି। ସୂଚନା ଅନୁଯାୟୀ, ପତାକାର ଦୈର୍ଘ୍ୟ ୨୨୫ ଫୁଟ ଏବଂ ପ୍ରସ୍ଥ ୧୫୦ ଫୁଟ ଏବଂ ଓଜନ ୧୦୦୦ କିଲୋଗ୍ରାମ। ମୁମ୍ବାଇର ଏକ ପ୍ରିଣ୍ଟିଂ କମ୍ପାନୀ ସହାୟତାରେ ଏହି ତ୍ରିରଙ୍ଗା ପ୍ରସ୍ତୁତ କରାଯାଇଛି।
ଏହି ତ୍ରିରଙ୍ଗା ପ୍ରସ୍ତୁତି ପାଇଁ ପ୍ରାୟ ୪୫୦୦ ମିଟର ଖଦୀ କପଡା ବ୍ୟବହାର କରାଯାଇଛି। ତ୍ରିରଙ୍ଗାର ସମୁଦାୟ କ୍ଷେତ୍ର ୩୭,୫୦୦ ବର୍ଗଫୁଟ ରହିଛି। ଏହି ଜାତୀୟ ପତାକା ତିଆରି କରିବାକୁ ୭୦ କାରିଗରଙ୍କୁ ୪୯ ଦିନ ଲାଗିଲା।