ୱାର୍ଲ୍ଡ ରାଇଜିଙ୍ଗ ଷ୍ଟାର- ୨୦୨୦ ଟାଇଟଲ ହାସଲ କଲେ ଓଡ଼ିଆ କୁନି ଝିଅ ଦିବ୍ୟାଶ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସୌନ୍ଦର୍ଯ୍ୟ କ୍ଷେତ୍ରରେ ଓଡ଼ିଶାରୁ ଅନେକ ଝିଅ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିବା ବେଳେ ଏହି ଦୌଡରେ ଓଡ଼ିଆର କୁନି ଝିଅ ନିଜକୁ ସାମିଲ କରିଛନ୍ତି। ପିଲାଟି ଦିନରୁ ନିଜକୁ ଫେସନ୍‌ ସହିତ ଜଡିତ କରି ଦେଇଛନ୍ତି। ତାଙ୍କର ଏହି ଇଚ୍ଛା ଶକ୍ତିରେ ସେ ବିଭିନ୍ନ ପ୍ରତିଯୋଗିତାରେ ଟାଇଟଲ୍‌ ହାସଲ କରିପାରିଛନ୍ତି। ତେବେ ଜର୍ଜିଆ ଦେଶରେ ଆୟୋଜିତ  ୱାର୍ଲ୍ଡ ରାଇଜିଙ୍ଗ ଷ୍ଟାର- ୨୦୨୦ରେ ୪ରୁ ୭ବର୍ଷର କୁନି କୁନି ଝିଅମାନଙ୍କର ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଆ କୁନି ଝିଅ ଦିବ୍ୟାଶ୍ରୀ ଦେବାଶିଷ ବେହେରା ବିଜେତା ହୋଇ ଦେଶ ତଥା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏହି ପ୍ରତିଯୋଗିତାରେ ପାଖାପାଖି ୧୨ଟି ଦେଶର ପ୍ରତିଯୋଗୀମାନେ ଭାଗନେଇଥିବା ବେଳେ ଦିବ୍ୟାଶ୍ରୀ ସମସ୍ତଙ୍କୁ ପଛରେ ପକାଇ ୱାର୍ଲ୍ଡ ରାଇଜିଙ୍ଗ ଷ୍ଟାର- ୨୦୨୦ର ଟାଇଟଲ୍‌ ହାସଲ କରିଛନ୍ତି। ଏହି ପ୍ରତିଯୋଗିତା ପାଇଁ ସେ ଉତ୍ତମ ଜାତୀୟ ପୋଷାକ ପରିଧାନ କରି ଭାଗ ନେଇଥିଲେ।

ଓଡ଼ିଶାର ପୁରୀ ଜିଲ୍ଲାର ତାଙ୍କର ଘର ଏବଂ ତାଙ୍କ ବାପା ଦେବାଶିଷ ବେହେରା ଓ ମାଆ ଦେବୀ ଗୋହାବେଙ୍ଗାଲୁରୁର ଏକ ଆଇଟି କମ୍ପାନୀରେ ଚାକିରି କରନ୍ତି। ସେ ଦୁଇ ବର୍ଷରୁ ମଡେଲିଂରେ ରୁଚି ରଖୁଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ଅର୍ଜନ କରିଛନ୍ତି। ସେହିପରି ସେ ପାଠ ପଢ଼ାରେ ମଧ୍ୟ ବେଶ ସଫଳ ଅଟନ୍ତି। କୁନି ଝିଅର ସଫଳତା ପଛରେ ପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦ ଥିବା ସହ ଭାରତର ନେସନାଲ୍‌ ଡାଇରେକ୍ଟର ଭେଲେଣ୍ଟିନାଙ୍କ ସହଯୋଗ  ଥିବା ଦିବ୍ୟାଶ୍ରୀଙ୍କ ମାଆ କହିଛନ୍ତି।

ସେ ପୂର୍ବରୁ ମଧ୍ୟ ୧୫ଟି ପ୍ରତିଯୋଗିତାରେ ଭାଗ ନେଇ ସଫଳତା ଅର୍ଜନ କରିଛନ୍ତି। ହେୟାର୍‌ଷ୍ଟାଇଲ, ବିୟୁଟି କୁଇନ୍‌ ଭଳି ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବେଙ୍ଗାଲୁରୁ, ଚେନ୍ନାଇ, ବିଶାଖାପାଟଣା ପ୍ରଭୃତି ସ୍ଥାନରେ  କୃତିତ୍ୱ ହାସଲ କରିଛନ୍ତି। ବର୍ତ୍ତମାନ ସେ ଅନ୍ୟଦେଶକୁ ଯାଇ ରାଇଜିଙ୍ଗ ଟାଇଟଲ୍‌ ହାସଲ କରି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏ ନେଇ ତାଙ୍କ ମାଆ ଅତ୍ୟନ୍ତ ଖୁସି ଥିବା କହିଛନ୍ତି।