‘ମୋ ପରିବାର’ର ହସ୍ତକ୍ଷେପ ପରେ ଓଡ଼ିଶା ଫେରିଲା କର୍କଟ ରୋଗୀଙ୍କ ମରଶରୀର

ଭୁବନେଶ୍ୱର,ଏନ୍ଏନ୍ଏସ୍ମୁୁମ୍ବାଇ ଠାରେ ପ୍ରାଣ ହରାଇଥିବା ଜଣେ କର୍କଟ ରୋଗୀଙ୍କ ମରଶରୀର ‘ମୋ ପରିବାର’ର ହସ୍ତକ୍ଷେପ ପରେ ଓଡ଼ିଶା ଫେରିଛି। ଆପତ୍ତିବିହୀନ ପ୍ରମାଣପତ୍ର ଓ ମୃତ୍ୟୁ ପ୍ରମାଣପତ୍ର ନଦେଲେ ମରଶରୀରକୁ ବିମାନରେ ଆସିବାକୁ ଅନୁମତି ଦିଆଯାଉନଥିଲା। ତେବେ ‘ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଆଜି ମରଶରୀର ବିମାନରେ ଭୁବନେଶ୍ୱର ଫେରିଛି ।

ସୁନ୍ଦରଗଡ଼ ଜିଲ୍ଲା କାଂଶବାହାଲ ଅଞ୍ଚଳର ୫୧ବର୍ଷ ବୟସ୍କା କସ୍ତୁରୀ ମିଶ୍ର ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିବା ସମୟରେ ମୁମ୍ବାଇ ବିମାନବନ୍ଦରରେ ହଠାତ୍‍ ଗୁରୁତର ହୋଇପଡିଥିଲେ। ତୁରନ୍ତ ତାଙ୍କୁ ଅନ୍ଧରି ସ୍ଥିତ ସ୍ପିରିଟହସ୍ପିଟାଲକୁ ନିଆଯାଇଥିଲା ଓ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କିନ୍ତୁ ଓଡ଼ିଶା ଆଣିବାପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ମୃତ୍ୟୁ ସାର୍ଟିଫିକେଟ ସହିତ ଆପତ୍ତିବିହୀନ ପ୍ରମାଣପତ୍ର ମାଗିଥିଲେ। ତୁରନ୍ତ ଏହା ଯୋଗାଡ଼ କରିବା ସମ୍ଭବ ନହେବାରୁ ସୁନୀତା ବିଶ୍ୱାଳ ଏହି ଘଟଣା ‘ମୋ ପରିବାର’ର ଦୃଷ୍ଟିକୁ ଆଣିବା ସହିତ ଶ୍ରୀ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ।

ଶ୍ରୀ ପଟ୍ଟନାୟକ ତୁରନ୍ତ ମୁମ୍ବାଇର ପୂର୍ବତନ ଅତିରିକ୍ତ ଏସପି ରାକେଶ ଶର୍ମା ଓ କୋଣାର୍କ କ୍ୟାନ୍‌ସର ଫାଉଣ୍ଡେସନର ସହିତ ଯୋଗାଯୋଗ କରି ଆବଶ୍ୟକ ସହାୟତା ଲାଗି କହିଥିଲେ। ଡାକ୍ତରଖାନାରେ ପହଞ୍ଚି ସେମାନେ ଘଟଣାର ଅନୁଧ୍ୟାନ କରିବା ସହିତ ମାମଲାକୁ ଟାଟା ମେମୋରିଆଲ ହସ୍ପିଟାଲକୁ ପଠାଇଥିଲେ ଏବଂ ସେଠାରେ ପରିବାରବର୍ଗଙ୍କୁ ମୃତ୍ୟୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । କୋଣାର୍କ ଫାଉଣ୍ଡେସନର ସଦସ୍ୟମାନେ ମୁମ୍ବାଇ ପୁଲିସ୍‍ ସହିତ ଯୋଗାଯୋଗ ମରଶରୀର ଓଡିଶା ଫେରିବା ପାଇଁ ସମସ୍ତ କାଗଜପତ୍ର ଯୋଗାଡ଼ କରିଛନ୍ତି। ମରଶରୀର ଆଜି ଭୁବନେଶ୍ୱରରେ ଆସି ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାହାକୁ ମୋ ପରିବାର ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଗାଁକୁ ପଠାଇବାର ବ୍ୟବସ୍ଥା ହୋଇଛି ।