ଏବର୍ଷ ହାଡ଼ ଭଙ୍ଗା ଶୀତରେ ଥରିବ ସାରା ଓଡ଼ିଶା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ବର୍ଷ ଭାରତ ସମେତ ଓଡ଼ିଶାରେ ବି ହାଡ଼ ଭଙ୍ଗା ଶୀତ ଅନୂଭୁତ ହେବ। ଲା’ନିନା ପ୍ରଭାବ ଯୋଗୁ ଶୀତର ପ୍ରକୋପ ବୃଦ୍ଧି ହେବ ବୋଲି ଆଶଙ୍କା କରାଯାଉଥିବା ବେଳେ ଶୀତ ଦିନେ ବି ବାରମ୍ବାର ବର୍ଷା ହେବ ବୋଲି ଜଣାପଡ଼ିଛି। ଡିସେମ୍ବର ମାସରେ ସ୍ୱାଭାବିକ ତାପମାତ୍ରା ହାର ୧.୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ କମିବାର ମଧ୍ୟ ସମ୍ଭାବନା ରହିଛି। ତେଣୁ ଓଡ଼ିଶା ସମେତ ସାରା ଭାରତ, ବିଶେଷ କରି ଦକ୍ଷିଣ ଭାରତରେ ପ୍ରବଳ ଶୀତ ଅନୂଭୁତ ହେବ। ଲା’ ନିନା ପ୍ରଭାବ ଯୋଗୁଁ ଶୀତର ପ୍ରଭାବ ଯଥେଷ୍ଟ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଇଏମଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଲା’ ନିନା ପ୍ରଭାବ ଦୁର୍ବଳ ହେଉଥିବାରୁ ଏ ବର୍ଷ ପ୍ରବଳ ଶୀତ ଅନୁଭବ ହେବ।

ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ଦ୍ୱାରା ଆୟୋଜିତ ଏକ ୱେବିନାରରେ ଯୋଗଦେଇ ସେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଋତୁଚକ୍ରରେ ଅନିୟମିତତା ଦେଖାଯାଇଛି। କୌଣସି ବର୍ଷ ମରୁଡ଼ି ପଡୁଥିବା ବେଳେ ଆଉ କେଉଁ ବର୍ଷରେ ପ୍ରବଳ ବର୍ଷା ହୋଇ ଫସଲ ହାନି ଘଟୁଛି। ଭାରତରେ ପାଣିପାଗ ଉପରେ ଏଲ୍ ନିନୋ ଓ ଲା’ ନିନୋର ବଡ଼ ପ୍ରଭାବ ରହୁଥିବାରୁ ବର୍ଷା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ହେଉଛି। ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମୁଦ୍ର ପୃଷ୍ଠର ହାରାହାରି ତାପମାତ୍ରା ଠାରୁ ବାୟୁମଣ୍ଡଳର ତାପମାତ୍ରା ଅଧିକ ରହିଲେ ତାହାକୁ ଲା’ନିନୋ କୁହାଯାଏ। ସେହିପରି ପ୍ରଶାନ୍ତ ମହାସାଗରର ପାଣି ବାୟୁମଣ୍ଡଳର ତାପମାତ୍ରା ତୁଳନାରେ ଅଧିକ ଗରମ ରହିଲେ ତାହାକୁ ଏଲ୍ ନିନୋ କୁହାଯାଏ। ଏଲ୍ ନିନୋ ପ୍ରଭାବ ଅଧିକ ରହିଲେ ସାଧାରଣତଃ କମ୍ ବର୍ଷା ହୋଇଥାଏ।