ଅର୍ଚ୍ଚନା ନାଗ ସ୍କାଣ୍ଡାଲ ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପ୍ରସଙ୍ଗରେ ଆସନ୍ତାକାଲିଠାରୁ ଅହରାତ୍ର ଧାରଣା ଦିଆଯିବ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର ୨୩ ବର୍ଷ ଧରି ଭ୍ରଷ୍ଟାଚାରରେ ଲିପ୍ତ ରହିଆସିଛନ୍ତି କିନ୍ତୁ ଏବେ ଅନାଚାର ଓ ବ୍ୟଭିଚାରରେ ସୀମା ଟପିଲେଣି। ଇତିଶ୍ରୀ, ବେବିନାଙ୍କ ଠାରୁ ଆରମ୍ଭ କରି ନୟାଗଡର ପରୀ ଓ ଯାଜପୁରର ପିହୁ ପର୍ଯ୍ୟନ୍ତ ସମସ୍ତ ଘଟଣାରେ ଅନାଚାର, ବ୍ୟଭିଚାରରେ ଶାସକ ଦଳର ସମ୍ପୃକ୍ତି ଥିବା ସ୍ପଷ୍ଟ ଚିତ୍ର ଓଡିଶାବାସୀ ଦେଖିସାରିଛନ୍ତି। ଶାସକ ଦଳର ମନ୍ତ୍ରୀ, ନେତାମାନଙ୍କର ଏହି ବ୍ୟଭିଚାର ବିରୋଧରେ ସ୍ୱର ଉତ୍ତୋଳନ କରି ମମିତା ମେହେର ଭଳି ଅନେକ ଝିଅ ନିଜର ପ୍ରାଣ ହରାଇଛନ୍ତି ଯାହା ଓଡିଶାବାସୀ ଦେଖିଛନ୍ତି। ରାଜ୍ୟ ସରକାର ଭ୍ରଷ୍ଟାଚାରକୁ ଆକଣ୍ଠପାନ କରିଛନ୍ତି। ଚିଟ୍‌ଫଣ୍ଡ, ବ୍ଲକ୍‌ ଓ ସେକ୍ରେଟେରୀଏଟର ତୃତୀୟ ମହଲା ପର୍ଯ୍ୟନ୍ତ ରାଜ୍ୟ ସରକାର ଭ୍ରଷ୍ଟାଚାରକୁ ପ୍ରଶୟ ଦେଉଥିବା ଓଡିଶାବାସୀ ଜାଣିଛନ୍ତି। ଓଡିଶାରେ ବିନା ଲାଞ୍ଚ ଟଙ୍କାରେ ପତ୍ର ହଲେନାହିଁ ଯାହା ରାଜ୍ୟ ସରକାରଙ୍କ ପରିଚୟକୁ ସ୍ପଷ୍ଟ କରୁଛି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ଓଡିଶା ପୁଲିସ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ତାହାର ନିଦ୍ରା ଭାଙ୍ଗିବା ଦରକାର। ଓଡିଶାରେ ଯେତେ ବଡ ଦୁର୍ନୀତି କିମ୍ବା ବ୍ୟଭିଚାରର କଥା ଆସେ ସବୁବେଳେ ଅପାରଗ ଓ ମିଥ୍ୟାବାଦୀ ମୁଖ୍ୟମନ୍ତ୍ରୀ କହନ୍ତି ଯେ- “ଆଇନ ତା ବାଟରେ ଯାଉଛି”। ହେଲେ ଆଜି ପର୍ଯ୍ୟନ୍ତ କୌଣସି ଘଟଣାରେ ପୀଡିତାଙ୍କୁ ନ୍ୟାୟ ମିଳିପାରିଲା ନାହିଁ କି ଅପରାଧରେ ସମ୍ପୃକ୍ତ ଥିବା ମନ୍ତ୍ରୀ ଓ ବିଧାୟକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଓଡିଶାର ବ୍ୟଭିଚାର, ଅନାଚାରକୁ ବିଜେପି ଆଦୌ ବରଦାସ୍ତ କରିବ ନାହିଁ ବୋଲି ହରିଚନ୍ଦନ କହିଛନ୍ତି।

ପୁରୀ ଜିଲ୍ଲା ନିମାପଡାର ତତ୍‌କାଳୀନ ଜିଲ୍ଲା ପରିଷଦ ସଭ୍ୟ ସ୍ୱର୍ଗତଃ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ଠୋସ୍ ପ୍ରମାଣ ଥାଇବି ପୁଲିସ କାହିଁକି ତଦନ୍ତ ପରିସରଭୁକ୍ତ କରୁନାହିଁ। ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବିରୋଧରେ ସେକ୍ସ ସ୍କାଣ୍ଡାଲ, ଟଙ୍କା ଲୁଣ୍ଠନ ଓ ବ୍ଲାକ ମେଲିଂ ଭଳି ଜଘନ୍ୟ ଅଭିଯୋଗ ଥିଲେ ମଧ୍ୟ କମିସନରେଟ ପୁଲିସ କାହିଁକି ତାଙ୍କ ବିରୋଧରେ ଚାର୍ଜସିଟ୍ ନକରି ଘଣ୍ଟ ଘୋଡାଉଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ବ୍ୟଭିଚାରକୁ ମଧ୍ୟ ଜଣେ ଲେଡି ବ୍ଲାକମେଲର ସମାନ ଢଙ୍ଗରେ ପରିଚାଳନା କରୁଥିଲେ, ଯାହା ବିରୋଧରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ।

ଗତ ପଂଚାୟତ ନିର୍ବାଚନ ପରଠୁ ଦୁଇ ଥର ମୋଟା ଅଙ୍କର ଅର୍ଥ ସ୍ୱର୍ଗତଃ ସାହୁଙ୍କ ପାଖରୁ ଗଣଶିକ୍ଷାମନ୍ତ୍ରୀ ନେଇଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଏନେଇ ପୁଲିସ କୌଣସି ତଦନ୍ତ କରିନାହିଁ। ଘୁରିବୁଲୁଥିବା ଧର୍ମେନ୍ଦ୍ର ସାହୁଙ୍କ ଅଡିଓରେ ତାଙ୍କ ଆତ୍ମହତ୍ୟା ପାଇଁ ମନ୍ତ୍ରୀ ସମୀର ଦାଶ ଦାୟୀ ବୋଲି ପ୍ରତ୍ୟକ୍ଷ ପ୍ରମାଣ ମିଳୁଥିବାବେଳେ ପୁଲିସ କାହିିଁକି ଏହାକୁ ତଦନ୍ତ ପରିସରଭୁକ୍ତ କରୁନାହିଁ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି।

ଏନେଇ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଆସନ୍ତାକାଲିଠୁ ପୁଲିସର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବା ଲାଗି ବିଜେପି ଅହରାତ୍ରି ଆନ୍ଦୋଳନ କରିବ। ନିର୍ଣ୍ଣାୟକ ନ୍ୟାୟ ନପାଇବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ବଳବତ୍ତର ରହିବ ଏବଂ ସେଥିରେ ଯଦି ପୁଲିସ ଓ ରାଜ୍ୟ ସରକାରଙ୍କ ନିଦ ନଭାଙ୍ଗେ ତାହେଲେ ଘଣ୍ଟ ଘଣ୍ଟା ବଜାଇ ମୁଖ୍ୟମନ୍ତ୍ରୀଙ୍କ ନିଦ୍ରା ଭାଙ୍ଗିବାକୁ ବିଜେପି ଯିବ। ରାଜ୍ୟ ସରକାର ଅର୍ଚ୍ଚନା ନାଗଙ୍କ ଘଟଣାରେ ଯେଉଁ ବଡ ବଡିଆ ନେତାମନ୍ତ୍ରୀମାନେ ସମ୍ପୃକ୍ତ ଅଛନ୍ତି ତୁରନ୍ତ ତାଙ୍କ ନାମ ପ୍ରକାଶ କରି ବିହିତ ପଦକ୍ଷେପ ନିଅନ୍ତୁ।

ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ପୁରୀ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।