ବୁଥ୍ ଭିତରେ ଫୋନ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାନ୍ତୁ ସିଇଓ: ଡ. ଲେଖାଶ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଧାମନଗର ଉପନିର୍ବାଚନରେ ସରକାରୀ କଳ ଓ ପ୍ରଶାସନକୁ ପ୍ରଚାର କାର୍ଯ୍ୟରେ ଶାସକ ବିଜେଡି ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦଣ୍ଡନୀୟ ଅପରାଧ। ବିଜେଡି ସମର୍ଥକ କଂଟ୍ରୋଲ ଡିଲରଙ୍କ ଦ୍ୱାରା ରାସନ ସାମଗ୍ରୀ ବଣ୍ଟନ କରାଯିବା ସହ ମତଦାନ ଦେଇ ଫଟୋ ଦେଖାଇବା ପରେ ୨ ହଜାର ଟଙ୍କା ଦେବାକୁ ପ୍ରଲୋଭିତ କରୁଛି ବିଜେଡି। ଯାହା ନିର୍ବାଚନ ଆଚରଣ ବିଧିକୁ ଖୁଲମ୍ ଖୁଲା ଉଲଂଘନ କରୁଛି। ତେଣୁ ମତଦାନ ବେଳେ ମୋବାଇଲ ଫୋନ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯିବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରାଯାଇଛି।

ସୂଚନାଥାଉ କି, ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ଧାମନଗର ଉପନିର୍ବାଚନରେ ମତଦାନ କେନ୍ଦ୍ରରେ ମୋବାଇଲ ଫୋନ୍‌ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଉ। ପୂର୍ବରୁ ଅନେକ ଭୋଟର ବାଲାଟ ପେପର ଏବଂ ଭିଭିପାଟ ମେସିନ ଫଟୋକୁ ଉଠାଇ ଶାସକ ବିଜେଡି ସପକ୍ଷରେ ଭୋଟ ଦେଉଥିଲେ, ଯାହା ଭୋଟରଙ୍କୁ ପ୍ରଭାବିତ କରିଥିଲା। ଏହାସହ ଶାସକ ବିଜେଡି ଭୋଟ ପାଇଁ ୧ ଲକ୍ଷ ଟଙ୍କା ପ୍ରଦାନ କରୁଥିବା ପ୍ରମାଣ ମଧ୍ୟ ମିଳିଛି। ଏହା ଅତ୍ୟନ୍ତ ଅଗଣତାନ୍ତ୍ରୀକ ଏବଂ ଆଦର୍ଶ ନିର୍ବାଚନ ଆଚରଣ ସଂହିତା ବିରୋଧୀ ଅଟେ। ତେଣୁ ରାଜ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଏହି ପ୍ରସଙ୍ଗରେ ବିହୀତ ଏବଂ ଦୃଷ୍ଟାନ୍ତମୂଳକ କଠୋର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ କହିଛନ୍ତି।

ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ୩୦ ଟଙ୍କା ନେଇ ଓଡିଶା ସରକାରଙ୍କ ଲୋଗୋ ଥିବା ଜାତୀୟ ଖାଦ୍ୟ ସୁରକ୍ଷା କାର୍ଡ ବାଣ୍ଟୁଛନ୍ତି। ଯାହାକି ଅନ୍ୟ କୌଣସି ସ୍ଥାନରେ କରାଯାଉ ନାହିଁ। କାହା ନିର୍ଦ୍ଦେଶରେ ଏସ୍‌ଏଚ୍‌ଜି ମହିଳାମାନେ ଏହି କାର୍ଯ୍ୟ କରୁଛନ୍ତି ତାହାର ତଦନ୍ତ ନିହାତି କରାଯିବା ଉଚିତ୍। ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏସୁବୁକୁ ବନ୍ଦ କରିବା ଲାଗି ସିଇଓଙ୍କ ନିକଟରେ ବିଜେପି ଦାବି କରିଛି। ଏହି ଅବସରରେ ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।