ମହାରାଷ୍ଟ୍ର: ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହେବା ସହ ରାଜନୈତିକ ସଙ୍କଟ ଥମିବାରେ ଲାଗିଛି । ଇତିମଧ୍ୟରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ବଡ଼ ଖୁଲାସା କରିଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଦ ଲାଗି ଏକାନଥ ସିନ୍ଦେଙ୍କ ନାମ ମୁଁ ବିଜେପି ନେତୃତ୍ୱ ସମ୍ମୁଖରେ ଉପସ୍ଥାପନ କରିଥିଲି । ଏଥିସହିତ ଦଳର ଶୀର୍ଷ ନେତୃତ୍ୱ କହିବା ଯୋଗୁ ମୁଁ ଉପମୁଖ୍ୟମନ୍ତ୍ରୀ ପଦ ନେଇଛି ।
ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଆହୁରି କହିଛନ୍ତି ଯେ, ମୁଁ ସରକାର ବାହାରେ ରହି କାମ କରିବି ବୋଲି ନିଷ୍ପତ୍ତି ନିଆଯାଇଥିଲା । ମୁଁ ଘରେ ପହଞ୍ଚିବା ପରେ ଜେପି ନଡ୍ଡା ଓ ଅମିତ ଶାହଙ୍କ ଫୋନ ଆସିଥିଲା ଏବଂ ବାହାରେ ରହିଲେ ସରକାର ଚାଲିବନି ବୋଲି କହିଥିଲେ । ପରେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲି । ଜେପି ନଡ୍ଡା ଗଣମାଧ୍ୟମ ସାମ୍ନାରେ ଦେବେନ୍ଦ୍ର ଫଡ଼ନାଭିସ ଉପମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି କହିଲେ । ଯଦି ମୋତେ ଘରେ ରହିବାକୁ କୁହାଯାଇଥାନ୍ତା ତେବେ ମୁଁ ଖୁସି ଖୁସିରେ ଘରେ ରହିଥାନ୍ତି । ପାର୍ଟିର ଶୀର୍ଷ ନେତୃତ୍ୱଙ୍କ ନିଷ୍ପତ୍ତିକୁ ମୁଁ ସର୍ଦଦା ସମ୍ମାନ କରେ ।