ସୀମା ସୁରକ୍ଷା ବଳ ସୀମାନ୍ତ ସାମରିକ ମୁଖ୍ୟାଳୟ ଠାରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସମ୍ମାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ସ୍ଥିତ ସୀମା ସୁରକ୍ଷା ବଳ ସୀମାନ୍ତ ସାମରିକ ମୁଖ୍ୟାଳୟ (ସ୍ୱତନ୍ତ୍ର ଅପରେସନ) ଠାରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସ୍ୱାଗତ କରାଯାଇଛି। ଆଜି ପୂର୍ବାହ୍ନରେ ବିଜୟ ମଶାଲକୁ ୧୨୦ ବାଟାଲିୟନ ତରଫରୁ କର୍ଣ୍ଣେଲ ଯଶୱନ୍ତ ସିଂ ସାମରିକ ମର୍ଯ୍ୟାଦାର ସହ ପାଇପ୍ ବ୍ୟାଣ୍ଡ ଶୋଭାଯାତ୍ରା ମଧ୍ୟରେ ସେନା ସୁରକ୍ଷାବଳ (ବିଏସ୍ଏଫ) କାର୍ଯ୍ୟାଳୟରେ ପହଞ୍ଚାଇଥିଲେ। ସୀମା ସୁରକ୍ଷା ବଳର ଉପ ମହାନିରୀକ୍ଷକ (ବିଏସ୍ଏଫ) ଧୀରେନ୍ଦ୍ର କୁମାର ମଶାଲକୁ ଭବ୍ୟ ସମ୍ମାନର ସହ ଗ୍ରହଣ କରିବା ପରେ ଏହାକୁ କାର୍ଯ୍ୟାଳୟ ଠାରେ ଅବସ୍ଥାପିତ କରାଯାଇଥିଲା।

ଏଠାରେ ଆୟୋଜିତ ଏକ ସ୍ୱର୍ଣ୍ଣିମ ଉତ୍ସବରେ ଉପ ମହାନିରୀକ୍ଷକ ଶ୍ରୀ କୁମାର ବିଏସ୍ଏଫର ଯବାନମାନଙ୍କୁ ଉଦବୋଧନ ଦେଇ କହିଲେ ଯେ, ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ସୀମା ସୁରକ୍ଷା ବଳ, ଭାରତୀୟ ବାହିନୀ ସହ ସମ ତାଳରେ ବାୟୁସେନା ଏବଂ ନୌସେନା ସାମିଲ ହୋଇ ବୀରତ୍ଵର ଉଲ୍ଲେଖନୀୟ ପରାକାଷ୍ଟା ବଳରେ ପାକିସ୍ତାନକୁ ପରାସ୍ତ କରିଥିଲେ। ଏହି ବିଜୟ ଫଳରେ ବାଂଲାଦେଶ କିପରି ଏକ ନୂତନ ରାଷ୍ଟ୍ର ଭାବେ ଜନ୍ମ ନେଇଥିଲା, ସେ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଯୁଦ୍ଧରେ ଅସାଧାରଣ ବୀରତ୍ଵ ପ୍ରଦର୍ଶନ କରିଥିବା ବାୟୁସେନା, ନୌସେନା ସହ ସୀମା ସୁରକ୍ଷା ବଳର ବୀର ଯବାନମାନଙ୍କୁ ବୀର ଚକ୍ର, ପରମବୀର ଚକ୍ର ଆଦି ସମ୍ମାନରେ ଭୂଷିତ କରାଯାଇଥିବା ସଂପର୍କରେ ସେ ବିଶେଷ ଭାବେ ବର୍ଣ୍ଣନା କରିଥିଲେ। ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ଭାରତୀୟ ବୀର ଯବାନମାନଙ୍କର ତ୍ୟାଗ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ସେନା ତରଫରୁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।