କୋଭିଡ୍-୧୯ ଦକ୍ଷତା ବୃଦ୍ଧି ୱେବିନାର ଅନୁଷ୍ଠିତ: ଅଙ୍ଗନବାଡ଼ି କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ରାଜ୍ୟ By Nitidin On May 21, 2021 Share ଭୁବନେଶ୍ୱର,ଏନ୍ଏନ୍ଏସ୍: କେବଳ ଛୋଟପିଲା ଏବଂ ଗର୍ଭବତୀ ମା’ ମାନଙ୍କ ପୋଷଣ ଓ ସ୍ୱାସ୍ଥ୍ୟରକ୍ଷା ପାଇଁ ନୁହେଁ, କୋଭିଡ୍ ପରିସ୍ଥିତି ମଧ୍ୟରେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାମାନେ ଆଗଧାଡ଼ିର ଯୋଦ୍ଧା ଭାବେ କାର୍ଯ୍ୟ କରିଚାଲିଛନ୍ତି। ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ହେଉ କିମ୍ବା ଗୃହ ପୃଥକବାସ ବା କ୍ୱାରେଣ୍ଟାଇନ୍ ପରିଚାଳନା ହେଉ ସବୁଥିରେ ସେମାନେ ଖୁବ୍ ଭଲ କାମ କରୁଛନ୍ତି। ଆସନ୍ତା ୨୪ ତାରିଖରୁ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି କୋଭିଡ୍ ଲକ୍ଷଣ ଏବଂ ଗୁରୁତର ରୋଗ ଥିବା ବ୍ୟକ୍ତି ଚିହ୍ନଟ(ସର୍ଭେ) କାର୍ଯ୍ୟ ଆରମ୍ଭ କରିବେ। ଏଥିରେ ସେମାନେ ନିଶ୍ଚିତ ଭାବେ ସଫଳ ହେବେ ଏବଂ ସେମାନଙ୍କ ମାଧ୍ୟମରେ ଗାଁ’କୁ ସଂକ୍ରମଣ ମୁକ୍ତ କରାଯାଇପାରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୭୦ ହଜାରରୁ ଊର୍ଦ୍ଧ୍ୱ ଆଇସିଡିଏସ୍ କର୍ମକର୍ତ୍ତାଙ୍କ ପାଇଁ ଅନୁଷ୍ଠିତ ଭର୍ଚୁଆଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଛନ୍ତି। ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ଡୋରଟୁ ଡୋର ସର୍ଭେ ପାଇଁ ଆୟୋଜିତ ଭର୍ଚୁଆଲ ଦକ୍ଷତା ବୃଦ୍ଧି ୱେବିନାରରେ ମାନ୍ୟବର ମୁଖ୍ୟମନ୍ତ୍ରୀ କୋଭିଡ୍ ସମୟରେ ଏହି ଆଗଧାଡ଼ିର କାର୍ଯ୍ୟକର୍ତ୍ତାମାନଙ୍କ କ୍ରମାଗତ ପରିଶ୍ରମ ଓ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିବା ସହ ଗାଁକୁ ସୁରକ୍ଷା ଦେବା ସହ ନିଜେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି। ୱେବିନାରରେ କାର୍ଯ୍ୟକର୍ତ୍ତାମାନଙ୍କୁ ଉଦବୋଧନ ଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ କୋଭିଡ୍ ଦ୍ୱିତୀୟ ଲହରର ଭୟାବହତାକୁ ଦେଖି ପ୍ରତ୍ୟେକ ମୂଲ୍ୟବାନ ଜୀବନକୁ ସୁରକ୍ଷିତ ରଖିବା ଆମ ପାଇଁ ସବୁଠାରୁ ବଡ଼ ଆହ୍ୱାନ। ଏହି ଆହ୍ୱାନର ମୁକାବିଲା ଦିଗରେ ଆମର ଆଇସିଡିଏସ୍ କାର୍ଯ୍ୟକର୍ତ୍ତା ଏବଂ ଅଙ୍ଗନବାଡ଼ି କର୍ମୀମାନଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଗ୍ରାମାଞ୍ଚଳରେ କୋଭିଡ ସଚେତନତା ସୃଷ୍ଟି ସହ ସେମାନେ ନିଜର ଓ ନିଜ ପରିବାରର ସୁରକ୍ଷା ପ୍ରତି ମଧ୍ୟ ଯତ୍ନବାନ ହେବେ ବୋଲି କହିବା ସହ କୋଭିଡ୍ ସଂଗ୍ରାମରେ ପ୍ରାଣ ହରାଇଥିବା ଆଗଧାଡି ଯୋଦ୍ଧାମାନଙ୍କ ପ୍ରତି ଶ୍ରୀମତି ସାହୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି କି, କୋଭିଡର ଦ୍ୱିତୀୟ ଲହର ପରେ ତୃତୀୟ ଲହର ଆସିବା ନେଇ ମଧ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଏଥିରେ ଶିଶୁମାନେ ଅଧିକ ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଇଛି। ତେଣୁ ଏବେଠାରୁ ଲୋକଙ୍କ ନିକଟରେ କୋଭିଡ୍ ସଂପର୍କରେ ସଠିକ ତଥ୍ୟ ପହଞ୍ଚାଇବା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଶିଶୁ ଓ ମା’ମାନଙ୍କ ପୁଷ୍ଟିସାଧନକୁ ସୁନିଶ୍ଚିତ କରିବା ହେଉଛି ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାମାନଙ୍କ ଗୁରୁଦାୟିତ୍ୱ। ଏହି ଆଗଧାଡ଼ିର କାର୍ଯ୍ୟକର୍ତ୍ତାମାନେ ଗାଁର ଆଖି ଓ କାନ ଭଳି ସଜାଗ ରହି ଗାଁକୁ ସୁରକ୍ଷା ପ୍ରଦାନ କରିବାକୁ ଆହ୍ୱାନ ଦେବା ସହ ପ୍ରମୁଖ ଶାସନ ସଚିବ ସେମାନଙ୍କ ନିରନ୍ତର କର୍ତ୍ତବ୍ୟନିଷ୍ଠାକୁ ଭୂୟସୀ ପ୍ରଶଂସା କରିଥିଲେ। ଆଜିର ଏହି ୱେବିନାରର ବୈଷୟିକ ଅଧିବେଶନରେ ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାମାନଙ୍କୁ କୋଭିଡ୍ ସଂପର୍କିତ ୩ଟି ମୁଖ୍ୟ ପ୍ରସଙ୍ଗ ଯଥା: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସତର୍କତା, ପୁଷ୍ଟିସାଧନ ଏବଂ ଶିଶୁ ସୁରକ୍ଷା ଉପରେ ବିଶେଷଜ୍ଞ ଏବଂ ଯୋଗାଯୋଗ ବିଶାରଦମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାର ନିର୍ଦ୍ଦେଶକ ଶ୍ରୀ ଅମରେନ୍ଦ୍ରନାଥ ମହାନ୍ତି ଏବଂ ତାଙ୍କ ଟିମ ଦ୍ୱାରା ଘରକୁ ଘର ତିନି ମାସିଆ ସର୍ଭେ ସମୟରେ କୋଭିଡ୍ ପ୍ରୋଟୋକଲର ଅନୁପାଳନ, ଲକ୍ଷଣଯୁକ୍ତ କୋଭିଡ୍ ରୋଗୀଙ୍କ ଚିହ୍ନଟ ଓ ଚିକିତ୍ସା, ଗୃହ ପୃଥକବାସର ନିୟମାବଳୀ, ସଙ୍ଗରୋଧ ବ୍ୟବସ୍ଥା, ସଂକ୍ରମଣ ନିୟନ୍ତ୍ରଣ ନିମନ୍ତେ ବିବିଧ ପଦକ୍ଷେପ, କୋଭିଡ୍ ସଂକ୍ରମିତ ଗର୍ଭବତୀ ଓ ପ୍ରସୂତି ମା’ ଓ ଶିଶୁଙ୍କ ଯନି, ସ୍ତନ୍ୟପାନ ସମୟରେ ସତର୍କତା, କୋଭିଡ୍ ରୋଗୀଙ୍କ ସାମାଜିକ ବାସନ୍ଦ ନିବାରଣ ଆଦି ଉପରେ ବିଶଦ ଆଲୋକପାତ କରିବା ସହ ଅଙ୍ଗନବାଡ଼ି କର୍ମୀମାନେ ସର୍ଭେ ସମୟରେ କିଭଳି ନିଜକୁ ସୁରକ୍ଷିତ ରଖିବେ ସେ ସଂପର୍କରେ ପରାମର୍ଶ ଦେଇଥିଲେ। ଗୋଷ୍ଠୀ କ୍ଷେତ୍ରରେ ସଚେତନତା ବୃଦ୍ଧି, ଗାଁ କଲ୍ୟାଣ ସମିତିର ଭୂମିକା, ଗ୍ରାମାଞ୍ଚଳରେ ବିଶୋଧନ, ଆବଦ୍ଧ ଅଞ୍ଚଳ ପରିଚାଳନା, ସାମାଜିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ସ୍ଥଗିତ ରଖିବା ଆଦି ପ୍ରସଙ୍ଗ ଉପରେ ଯୋଗାଯୋଗ ବିଶାରଦମାନେ ପରାମର୍ଶ ଦେଇଥିଲେ। Share