୨ରୁ କୋହଲା ପାଗ: ଥଣ୍ଡା କମିବ କିନ୍ତୁ ବର୍ଷା ହେବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବୁଧବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତ୍ତନ ଆସିବା ସହିତ କିଛି ସ୍ଥାନରେ ବର୍ଷା ଆରମ୍ଭ ହେବ। କ୍ରମାଗତ ଭାବେ ୪ ଦିନ ଧରି ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବା ବେଳେ ମଙ୍ଗଳବାର ଏଥିରେ ସାମନ୍ୟ ପରିବର୍ତ୍ତନ ଘଟିଛି। ଯାହାଦ୍ୱାରା ଶୀତର ପ୍ରକୋପ ଟିକିଏ କମିଛି। ଆଗକୁ ଆହୁରି ଶୀତ କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରାୟ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ଏହାଦ୍ୱାରା ଶୀତର ପ୍ରକୋପ କମିବ। ୨ ତାରିଖରେ ସବୁ ସ୍ଥାନରେ ନହେଲେ ବି କିଛି ସ୍ଥାନରେ ଉପର ଓଳିରୁ ବର୍ଷା ଆରମ୍ଭ ହୋଇପାରେ। ମାତ୍ର ଗୁରୁବାର ଦିନ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ମୟୂରଭଞ୍ଜ, ବୌଦ୍ଧ, ସୋନପୁର, ନୂଆପଡ଼ା ଆଦି ଜିଲ୍ଲାରେ ବର୍ଷାର ସମ୍ଭାବନା ଅଧିକ ରହିଛି।

ଏହି ବର୍ଷା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଥିବା ବେଳେ ଏହି ସମୟରେ ପାଗ କୋହଲା ରହିବା ସହିତ ଥଣ୍ଡା ମଧ୍ୟ ବଢ଼ିବ। ଅନ୍ୟପକ୍ଷରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଥିଲେ ମଧ୍ୟ ଏବେ ବି ଶୀତର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୫ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି।