ବେଙ୍ଗାଲୁରୁ: ବହୁ ପ୍ରତୀକ୍ଷିତ ଗଗନୟାନ ମିଶନ ଲାଗି ମହାକାଶଚାରୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ରୁଷିଆରେ ଜାନୁଆରୀ ତୃତୀୟ ସପ୍ତାହରେ ତାଲିମ ପ୍ରଦାନ କାର୍ଯ୍ୟ ଆରମ୍ଭ ହେବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ କୁହାଯାଇଛି। ଇସ୍ରୋର ଅଧ୍ୟକ୍ଷ କେ ଶିବନ କହିଛନ୍ତି, ଏହି ମିଶନରେ ମହାକାଶକୁ ଯିବାକୁ ଥିବା ୪ ଜଣ ମହାକାଶଚାରୀଙ୍କୁ ଚିହ୍ନଟ କରାଯାଇଛି। ସେ କହିଛନ୍ତି, ଚନ୍ଦ୍ରଯାନ-୩ ଓ ଗଗନୟାନ ଉଭୟ ମିଶନର କାର୍ଯ୍ୟ ଏକସଙ୍ଗେ ଚାଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ଚନ୍ଦ୍ରଯାନ-୨ ସମ୍ପର୍କରେ ଶିବନ କହିଲେ, ଏହି ମିଶନ ଶେଷ ପର୍ଯ୍ୟାୟରେ ଫେଲ୍ ହୋଇଥିଲା। ଏହା ସଫଳତାର ସହ ଚନ୍ଦ୍ରପୃଷ୍ଠର ନିର୍ଦ୍ଦିଷ୍ଟ ସ୍ଥାନରେ ଲ୍ୟାଣ୍ଡ୍ କରିପାରି ନଥିଲେ ମଧ୍ୟ ଏହାର ଅର୍ବିଟର୍ ଏବେବି କାର୍ଯ୍ୟ କରୁଛି ଏବଂ ଏହା ଆଗାମୀ ୭ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହି ତଥ୍ୟ ଯୋଗାଇବ। ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡରକୁ ଏବେ ନିକଟରେ ଠାବ କରିଥିବା ଚେନ୍ନାଇର ଜଣେ ବୈଷୟକବିତ୍ଙ୍କୁ ଇସ୍ରୋ ମୁଖ୍ୟ ଅଭିନନ୍ଦନ ଜଣାଇ କହିଲେ, ନଷ୍ଟ ହୋଇଯାଇଥିବା ଏହି ଯାନ ସମ୍ପର୍କରେ କୌଣସି ତଥ୍ୟ ପ୍ରକାଶ କରିବା ଇସ୍ରୋର ନୀତି ବିରୁଦ୍ଧ। କିନ୍ତୁ ଚନ୍ଦ୍ରର କେଉଁ ସ୍ଥାନରେ ବିକ୍ରମ ଲ୍ୟାଣ୍ଡର ହାର୍ଡ ଲ୍ୟାଣ୍ଡିଂ କରିଥିଲା ତାହା ଆମେ ଜାଣୁ। କେଉଁ କାରଣରୁ ଏଭଳି ଘଟିଲା
ସେ ସମ୍ପର୍କରେ ଶିବନ କହିଛନ୍ତି, ପରିବେଗ ହ୍ରାସ ହେଉଛି ମୁଖ୍ୟ କାରଣ। ଉଲ୍ଲେଖଯୋଗ୍ୟ ଚନ୍ଦ୍ରଯାନ-୨ ମିଶନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ଲାଗି ଭାରତର ଥିଲା ପ୍ରଥମ ଉଦ୍ୟମ। ଇସ୍ରୋ ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ଚନ୍ଦ୍ରଯାନ-୨କୁ ଲ୍ୟାଣ୍ଡିଂ କରାଇବାର ଯୋଜନା କରିଥିଲା। ଶିବନ ଆହୁରି କହିଛନ୍ତି, ଦ୍ୱିତୀୟ ମହାକାଶକେନ୍ଦ୍ର ପାଇଁ ଭୂମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତାମିଲନାଡୁର ଥୁଠୁକୁଡ଼ିରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବାକୁ ଯୋଜନା କରାଯାଉଛି।