ପାକିସ୍ତାନ ଯାଉଥିବା ଚୀନ୍ ଜାହାଜରୁ ଯୁଦ୍ଧ ସାମଗ୍ରୀ ଜବତ

ନୂଆଦିଲ୍ଲୀ,ଏଜେନ୍ସି: ପାକିସ୍ତାନ ଅଭିମୁଖେ ଯାଉଥିବା ଚୀନ୍ର ଏକ ପଣ୍ୟବାହୀ ଜାହାଜରୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଓ ରକେଟ୍ ନିର୍ମାଣ ସାମଗ୍ରୀ ଜବତ ହେବା ପରେ ଭାରତ ଏଥିରେ ଘୋର ଉଦ୍ବେଗ ପ୍ରକାଶ କରିଛି। ତେବେ ଭାରତୀୟ କର୍ତ୍ତୃପକ୍ଷ ହଂକଂ ପଞ୍ଜିକୃତ ଜାହାଜ ‘ଡା କୁଇ ୟୁନ୍’ରୁ ଜବତ କରିଥିବା ସାମଗ୍ରୀ ଯୁଦ୍ଧାସ୍ତ୍ର ତିଆରି ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସଫେଇ ଦିଆଯିବା ସତ୍ତେ୍ୱ ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ଭାରତର ବୈଦେଶିକ ଶୁଳ୍କ ବିଭାଗ ପକ୍ଷରୁ କାଣ୍ଡଲା ବନ୍ଦରରେ ଫେବୃଆରୀ ୩ରେ ‘ଡା କୁଇ ୟୁନ୍’କୁ ଜବତ କରିଥିଲେ।

ଗୁଇନ୍ଦା ରିପୋର୍ଟକୁ ଆଧାର କରି ଏହା ଜବତ ହୋଇଥିଲା। ଏହାପରେ ଫେବୃଆରୀ ୨୦ରେ ଜାହାଜକୁ ପାକିସ୍ତାନ ଯିବାପାଇଁ ଅନୁମତି ଦିଆଯାଇଥିଲା। ଆମେ ଏ ସମ୍ପର୍କରେ ଚୀନ୍ କର୍ତ୍ତୃପକ୍ଷଙ୍କୁ ଆମର ଉଦ୍ବେଗ ଜଣାଇ ଦେଇଛୁ ବୋଲି ରବୀଶ କୁମାର କହିଛନ୍ତି। ଅଣୁଅସ୍ତ୍ର ପ୍ରସାରକୁ ପ୍ରୋତ୍ସାହିତ କରୁଥିବା ଏଭଳି କାର୍ଯ୍ୟ ସମ୍ପର୍କରେ ଚୀନ୍ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇ ଭାରତ ତା’ର ପ୍ରତିବାଦ ଜଣାଇଛି। ଭବିଷ୍ୟତରେ ଚୀନ୍ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବ ବୋଲି ଭାରତ ଆଶା କରୁଛି।

ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଜାହାଜରେ ଯାଉଥିବା ସାମଗ୍ରୀ ଯୁଦ୍ଧାସ୍ତ୍ର ନିର୍ମାଣ ପାଇଁ ଉଦ୍ଦିଷ୍ଟ ନଥିଲା। ତାହା ଅନ୍ୟ କାର୍ଯ୍ୟରେ ବିନିଯୋଗ ପାଇଁ ପଠାଯାଉଥିଲା। ଚୀନ୍ ଏକ ଦାୟିତ୍ୱସମ୍ପନ୍ନ ବଡ଼ ଦେଶ ହୋଇଥିବାରୁ ଅନ୍ତର୍ଜାତୀୟ ସ୍ତରରେ ଅସ୍ତ୍ର ଅପ୍ରସାର ନୀତିକୁ ପ୍ରାଥମିକତା ଦିଏ। ତେଣୁ ହଂକଂ ଜାହାଜରେ ପଠାଯାଉଥିବା ସାମଗ୍ରୀକୁ ଯୁଦ୍ଧାସ୍ତ୍ର ନିର୍ମାଣ ବୋଲି କୁହାଯାଇନପାରେ। ଏହା ଚୀନ୍ର ଏକ ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଫର୍ଣ୍ଣେସ୍ ଯାହାକି ଉତ୍ତାପ ସୃଷ୍ଟି ପାଇଁ ବିନିଯୋଗ କରାଯାଇଥାଏ। ମାତ୍ର ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଏହାକୁ ଖଣ୍ଡନ କରାଯାଇ କୁହାଯାଇଛି, ଚୀନ୍ ପାକିସ୍ତାନକୁ ପଠାଉଥିବା ସାମଗ୍ରୀ କ୍ଷେପଣାସ୍ତ୍ର ଓ ରକେଟ୍ ନିର୍ମାଣ ପାଇଁ ଉପଯୋଗୀ।