ନୂଆଦିଲ୍ଲୀ: ଲଦାଖ ସୀମାରେ ଚୀନ ନିଜ ଚିରାଚରିତ ଢଙ୍ଗକୁ ଦୋହରାଉଥିବାବେଳେ ଭାରତ ମଧ୍ୟ ଏବେ ଜବାବ ଦେବାକୁ ପ୍ରସ୍ତୁତ ହୋଇସାରିଲାଣି। ବିଶେଷ ସୁତ୍ରରୁ ଜଣାପଡ଼ିଛି କି,ଏଲଏସିରେ ଚୀନ ସେନାର ଅନୁପ୍ରବେଶକୁ ରୋକିବା ପାଇଁ ଭାରତୀୟ ସେନା ଚେତାବନୀ ସ୍ୱରୂପ ଗୁଳିମାଡ଼ କରିଛିି। ଏହି ଘଟଣାଟି ଲଦାଖର ପେଙ୍ଗୋଙ୍ଗ ହ୍ରଦର ଦକ୍ଷିଣୀ କ୍ଷେତ୍ରରେ ହୋଇଛି।
ସୂଚନାଯୋଗ୍ୟ, ପେଟ୍ରୋଲିଂ କରୁଥିବା ଚୀନ ସେନା ଉପରେ ଭାରତୀୟ ସେନା ସଙ୍ଗବୋଧ ଭାବେ ଗୁଳି ଚଳାଇଥିଲା ବୋଲି ଚୀନ ସେନାର ୱେଷ୍ଟର୍ଣ୍ଣ କମାଣ୍ଡ ଆରୋପ ଲଗାଇଛି। ଭାରତୀୟ ସେନା କିନ୍ତୁ ଚୀନର ମିଛକୁ ପର୍ଦାଫାଶ କରିଛି। ଭାରତୀୟ ସେନା ଔପଚାରିକ ସ୍ତରରେ ବୟାନ ଜାରି କରି ଚୀନର ଦାବିକୁ ଖାରଜ କରିଦେଇଛି।
ଭାରତୀୟ ସେନାର ବୟାନ ମୁତାବକ, ‘ସୀମାରେ ସୈନିକଙ୍କ ଉପସ୍ଥିତି କମାଇବା ସହ ଶାନ୍ତି ବଜାୟ ରଖିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଚୀନ ପରିସ୍ଥିତି ବିଗାଡ଼ିବା ସହ ଉସୁକାଇଲା ଭଳି କାର୍ଯ୍ୟ କରୁଛି। ଭାରତ କଦାପି ଏଲଏସି ଅତିକ୍ରମ କରିନାହିଁ। ଗୁଳିଚାଳନା ସମେତ ଭାରତ କୌଣସି ଆକ୍ରମଣାତ୍ମକ କାର୍ଯ୍ୟ କରିନାହିଁ। ଚୀନ ଆକ୍ରମଣାତ୍ମକ ରୂପ ଧାରଣ କରିବା ସହ ସର୍ବଦା ଚୁକ୍ତି ଉଲଙ୍ଘନ କରିଛି।’