ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍, ଏଥର ପିଭିଟିଜି ଗ୍ୟାଲେରୀ ପ୍ରଦର୍ଶିତ ହେବ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ପରିପ୍ରେକ୍ଷୀରେ ଏସସିଏସଟିଆରଟିଆଇ ପରିସରରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟ ବନ୍ଦ ରହିଛି। ତେଣୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁରର ବ୍ୟବସ୍ଥା କରାଯାଇଛି।

ରବିବାର ଅର୍ଥାତ୍ ମଇ ୨୩ ତାରିଖ ଦିନ ଦର୍ଶକମାନେ ଫେସବୁକ୍ ଓ ଟୁଇଟର ପେଜ୍ @stscdev, @scstrti ଖୋଲି ସଂଗ୍ରହାଳୟ ମଧ୍ୟରେ ଥିବା ପ୍ରାଚୀନତମ ଜନଜାତି (ପିଭିଟିଜି) ଗ୍ୟାଲେରୀକୁ ସଂଦର୍ଶନ କରିପାରିବେ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି। ସଂଗ୍ରହାଳୟରେ ଜନଜାତି କଳା ଓ କଳାବସ୍ତୁର ୫ଟି ଗ୍ୟାଲେରୀ ସହିତ ପିଭିଟିଜି ୱାର୍ଲ୍ଡ ନାମରେ ଗୋଟିଏ ନୂତନ ପ୍ରଦର୍ଶନୀ ଭବନ ରହିଛି।

ଏହି ପିଭିଟିଜି ୱାର୍ଲ୍ଡର୍ରେ ୧୩ ଗୋଟି ପ୍ରାଚୀନତମ ଜନଜାତି ଯଥା: ବଣ୍ଡା, ଚୁକୁଟିଆ ଭୁଞ୍ଜିଆ, ଦିଦାୟୀ, ଡଙ୍ଗରିଆ କନ୍ଧ, ପାହାଡ଼ି ଖରିଆ, ଜୁଆଙ୍ଗ, କୁଟିଆ କନ୍ଧ, ଲୋଧା, ଲାଞ୍ଜିଆ ସଉରା, ମାଙ୍କିରିଡ଼ିଆ, ବିରହୋର, ପାଉଡ଼ିଭୂୟାଁ, ସଉରା ଜନଜାତିଙ୍କ ପ୍ରତିମୂର୍ତ୍ତି ସହ ସେମାନଙ୍କର ଗୃହ, ଜୀବନଶୈଳୀ ଓ ସଂସ୍କୃତି, ଗୃହର ବିଭିନ୍ନ ଆସବାବପତ୍ର ଆଦି ପ୍ରଦର୍ଶନ କରାଯାଉଛି। ଏହି ଗ୍ୟାଲେରୀରେ ଥ୍ରୀ-ଡି ମାଧ୍ୟମରେ ପ୍ରଦର୍ଶନ ସହିତ କିଓସ୍କରେ ପ୍ରାଚୀନତମ ଜନଜାତିଙ୍କ ସଂପର୍କରେ ସବିଶେଷ ତଥ୍ୟ ରହିଛି।