ଗିଲଙ୍କ ସବୁଠୁ ବଡ଼ ଶକ୍ତି ଉପରୁ ଉଠିଲା ପରଦା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଜଗତର ଆଗାମୀ ସୁପରଷ୍ଟାର ଶୁଭମନ ଗିଲ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ ଜବରଦସ୍ତ ଶତକ ମାରି ସଭିଙ୍କ ହୃଦୟ ଜିଣିଛନ୍ତି । ଶୁଭମନ ୭ ଚୌକା ଓ ୧୦ ଛକ୍କା ସହ ମାତ୍ର ୬୦ ବଲରେ ୧୨୯ ରନ୍ କରିବାରେ ସଫଳ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ଗୁଜରାଟ ଟାଇଟନ୍ସର ଅଲରାଉଣ୍ଡର ବିଜୟ ଶଙ୍କର ଶୁଭମନଙ୍କ ସମ୍ବନ୍ଧରେ କିଛି ଖାସ୍ ତଥ୍ୟ ଉପରୁ ପରଦା ଉଠାଇଛନ୍ତି । ବିଜୟ ଶଙ୍କର କହିଛନ୍ତି ଯେ, ଶୁଭମନ ଭଲ ଭାବେ ଜାଣିଛନ୍ତି କି କେତେବେଳେ ଷ୍ଟ୍ରାଇକ ରୋଟେଟ କରିବାର ଅଛି ଏବଂ କେତେବେଳେ ବଡ଼ ସଟ୍ ମାରିବାର ଅଛି । ଏସବୁ ବିଶେଷତା ଶୁଭମନଙ୍କୁ ସ୍ୱତନ୍ତ୍ର ପାହ୍ୟାର ଖେଳାଳୀ ବର୍ଗରେ ସାମିଲ କରିଛି ।

ବିଜୟ ଶଙ୍କର ଆଗକୁ ଆହୁରି କହିଛନ୍ତି ଯେ, ଆଇପିଏଲ ୨୦୨୩ ସିଜନର ଦ୍ୱିତୀୟ ମ୍ୟାଚ ପରେ ମୁଁ କହିଥିଲି ଯେ, ଶୁଭମନଙ୍କ କାମ କରିବାର ଶୈଳୀ ଖୁବ୍ ପ୍ରଶଂସନୀୟ । ବର୍ତ୍ତମାନ ସମୟରେ ଶୁଭମନ ଯେପରି ବ୍ୟାଟିଂ କରୁଛନ୍ତି ତାହା ପ୍ରଶଂସାଯୋଗ୍ୟ । ଏତଦବ୍ୟତୀତ ଶୁଭମନ ନେଟ ସେସନରେ ଯେଉଁଭଳି ବ୍ୟାଟିଂ କରନ୍ତି ତାହା ମଧ୍ୟ ଦେଖିବା ଯୋଗ୍ୟ । ପ୍ରଥମ ବଲରୁ ହିଁ ଶୁଭମନଙ୍କ ସଟ୍ ଦେଖିବା ଏକ ଶାନଦାର ଅନୁଭବ ।