ନୋଏଡା,ଏଜେନ୍ସି: ଗ୍ରେଟର ନୋଏଡାର ଇଣ୍ଡିଆ ଏକ୍ସପୋ ମାର୍ଟରେ ଆୟୋଜିତ ଭାରତ ଜଳ ସପ୍ତାହ-୨୦୨୨ କାର୍ଯ୍ୟକ୍ରମର ଉଦ୍ଯାପନୀ ସମାରୋହରେ ସାମିଲ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କ ସୁରକ୍ଷାରେ ପୁଲିସର ବଡ଼ ତ୍ରୁଟି ସାମ୍ନାକୁ ଆସିଛି । ଏହି କାର୍ଯ୍ୟକ୍ରମର ସୁରକ୍ଷା ପାଇଁ ମୁତୟନ ୧୫ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ଅନୁପସ୍ଥିତ ଥିବା ଜଣାପଡ଼ିଛି । ଗ୍ରେଟର ନୋଏଡା ଡିସିପି ଅଭିଷେକ ବର୍ମା ଉପରାଷ୍ଟ୍ରପତିଙ୍କ ସୁରକ୍ଷା ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀଙ୍କ ଯାଞ୍ଚ୍ କରିବା ବେଳେ ଦୁଇଜଣ ଥାନା ପ୍ରଭାରୀ, ଆଇଟି ସେଲ୍ରେ ମୁତୟନ ଜଣେ ଇନ୍ସପେକ୍ଟର, ଜଣେ ସବ୍ଇନ୍ସପେକ୍ଟର, ଜଣେ ମହିଳା ସବ୍-ଇନ୍ସପେକ୍ଟର, ଛଅ ହେଡ୍ କନ୍ଷ୍ଟେବଳ, ଚାରି ମହିଳା କନ୍ଷ୍ଟେବଳ ଗାଏବ୍ ଥିଲେ ।
ସମସ୍ତେ ନିର୍ଦ୍ଧାରିତ ସମୟଠାରୁ ବହୁ ବିଳମ୍ବରେ ନିଜ ନିଜୁର ଡ୍ୟୁଟିରେ ପହଞ୍ଚିଥିଲେ । ଡିସିପି ବର୍ମା ସେମାନଙ୍କୁ କଡ଼ା ନିର୍ଦ୍ଦେଶ ଦେବା ସହ ସମସ୍ତଙ୍କୁ ଅନୁପସ୍ଥିତ ରେକର୍ଡ କରାଯାଇଛି । ଗ୍ରେଟର୍ ନୋଏଡାରେ ଭାରତ ଜଳ ସପ୍ତାହ-୨୦୨୨ କାର୍ଯ୍ୟକ୍ରମର ଉଦ୍ଘାଟନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରିଥିଲେ। କାର୍ଯ୍ୟକ୍ରମର ଉଦ୍ଯାପନୀ ସମାରୋହରେ ଉପରାଷ୍ଟ୍ରପତି ଧନକଡ଼ ଯୋଗ ଦେଇଥିଲେ । ଉଦ୍ଯାପନୀ ସମାରୋହରେ କେତେକ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।